ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା : ଭକ୍ତ ଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେବାକୁ ନେଇ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି। ଗତକାଲି ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ରାୟ ପ୍ରଦାନ କରିଥିଲେ। ପକ୍ଷଭୁକ୍ତ ଆବେଦନକାରୀ ନୟାଗଡ଼ର ଅଫତାବ ହୁସେନଙ୍କ ଦ୍ବାରା ମୋଡ଼ିଫିକେସନ ପିଟିସନ ଦାଖଲ କରାଯାଇଛି। ଅଫତାବ ପୂର୍ବରୁ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ପକ୍ଷଭୁକ୍ତ ହୋଇଥିଲେ ଏବଂ ରଥଯାତ୍ରା ଆୟୋଜନ କରାଯିବାକୁ ନେଇ ଇଣ୍ଟରଭେନ୍‌ସନ୍‌ ପିଟିସନ୍‌ ଦାଖଲ କରିଥିଲେ। ଅଫତାବ ହୁସେନଙ୍କ ଦ୍ବାରା ଦାଖଲ କରାଯାଇଥିବା ମୋଡ଼ି‌ଫିକେସନ ପିଟିସନ୍‌ରେ ଗତକାଲିର ରାୟର କିଛି ଅଂଶରେ ଆଂଶିକ ପରିବର୍ତ୍ତନ ପାଇଁ ଆବେଦନ କରାଯାଇଛି।

DNA India

ବିଶ୍ବ ପ୍ରସିଦ୍ଧ ପୁରୀର ରଥଯାତ୍ରା କେବଳ ଗୋଟିଏ ରୀତିନୀତି ନୁହେଁ, ଏହା ଲୋକଙ୍କର ଭାବାବେଗ ସହିତ ତଥା ହଜାର ହଜାର ବର୍ଷର ପରମ୍ପରା ସହିତ ଜଡ଼ିତ ବୋଲି ସେ ପିଟିସନ୍‌ରେ ଦର୍ଶାଇଛନ୍ତି। ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ରହିଥିବାରୁ ଅନୁମତି ଦିଆଯାଉ। ଏ ବର୍ଷ ରଥଯାତ୍ରାକୁ ବନ୍ଦ କରାଗଲେ ଏହା ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ, ଯାହାର ପ୍ରଭାବ ଜଗନ୍ନାଥ ସଂସ୍କୃତି ଓ ରୀତିନୀତିରେ ପଡ଼ିବ ବୋଲି ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ରଥଯାତ୍ରା ପାଇଁ ପ୍ରସ୍ତୁତି ଅନେକ ବାଟ ଆଗେଇଛି। ଅନେକ ସେବାୟତଙ୍କୁ ସଂଗରୋଧରେ ରଖାଯାଇଛି। କରୋନା ପରୀକ୍ଷା କରାଯାଇଛି। ପୁଲିସମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଛି। ତେଣୁ କମ୍‌ ଲୋକମାନଙ୍କୁ ନେଇ ରଥ ଟଣାଯାଉ। ଦରକାର ପଡ଼ିଲେ ପୁରୀ ସହରକୁ ସମ୍ପୂର୍ଣ୍ଣ ରୂପେ ସଟ୍‌ଡାଉନ୍‌ କରାଯାଇ ରଥଯାତ୍ରା କରାଯାଉ ବୋଲି ସେ ପିଟିସନ୍‌ରେ ଦର୍ଶାଇଛନ୍ତି। ରାଜ୍ୟର କୌଣସି ସ୍ଥାନରେ ରଥଯାତ୍ରା କରାଯିବ ନାହିଁ ବୋଲି ଗତକାଲି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ନେଇ ଅଫତାବ ପିଟିସନ୍‌ରେ କହିଛନ୍ତି କେବଳ ପୁରୀରେ ରଥଯାତ୍ରା କରାଯାଉ, ସେ ନେଇ ଯାହା ପଦକ୍ଷେପ ନେବା ଦରକାର ନିଆଯାଉ। ଯେହେତୁ ପୁରୀ ରଥଯାତ୍ରା ଶ୍ରୀମନ୍ଦିରର ରୀତିନୀତି ସହିତ ଜଡ଼ିତ। ଗତକାଲିର ଆଦେଶକୁ ଆଂଶିକ ପରିବର୍ତ୍ତନ କରି ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ସେବାୟତମାନଙ୍କ ଦ୍ବାରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନ‌ିର୍ଦ୍ଦେଶ ଦେବା ପାଇଁ ମୋଡ଼ିଫିକେସନ୍‌ ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି।

ଅପରପକ୍ଷେ ରଥଯାତ୍ରା ଆୟୋଜନ କରାଯିବା ପାଇଁ ଜଗନ୍ନାଥ ସାଂସ୍କୃତିକ ଜନଜାଗରଣ ମଂଚ ପକ୍ଷରୁ ରିକଲ ଆବେଦନ ଦାଖଲ କରାଯାଇଛି। ଓଡ଼ିଶା ବିକାଶ ପରିଷଦ ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ଜଗନ୍ନାଥ ସାଂସ୍କୃତିକ ଜନ ଜାଗରଣ ମଂଚ ପକ୍ଷଭୁକ୍ତ ଥିଲା। ରଥଯାତ୍ରାର ରୀତିନୀତି ପାଇଁ ୫୦୦-୬୦୦ ସେବାୟତଙ୍କୁ କୋଭିଡ ଗାଇଡଲାଇନ୍ସ ସାମାଜିକ ଦୂରତା ତଥା କିଛି ସର୍ତ୍ତ ସହ ଅନୁମତି ଦେବା ପାଇଁ ଗତକାଲିର ଆଦେଶକୁ ରିକଲ ଓ ପରିବର୍ତ୍ତନ ପାଇଁ ମଂଚ ପକ୍ଷରୁ ଆବେଦନ କରାଯାଇଛି।

ସମ୍ବନ୍ଧିତ ଖବର