ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଐତିହାସିକ ୧୦୦ତମ ମନ୍ କୀ ବାତ୍ରେ ରବିବାର ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମକୁ ‘ଆଧ୍ୟାତ୍ମିକ ଯାତ୍ରା’ ବୋଲି ଅଭିହିତ କରିଛନ୍ତି।
ମୋଦୀ କହିଛନ୍ତି ଯେ ଲୋକମାନେ ଯେତେବେଳେ ମନ୍ଦିର ଯାଆନ୍ତି ଦେବତାଙ୍କୁ ପୂଜା କରିବା ପାଇଁ ସାଙ୍ଗରେ ନେଇଥାନ୍ତି ଏକ ପ୍ରସାଦର ଥାଳି, ଯାହାକୁ ସେମାନେ ଦେବତାଙ୍କ ପାଦତଳେ ଅର୍ପଣ କରିଥାନ୍ତି। ଜନତା ଜନାର୍ଦ୍ଦନ ହେଉଛନ୍ତି ତାଙ୍କ ପାଇଁ ଦେବତା ଏବଂ ମନ୍ କୀ ବାତ୍ ହେଉଛି ତାଙ୍କ ପାଇଁ ସେହି ପ୍ରସାଦର ଥାଳି। ମନ୍ କୀ ବାତ୍ ହେଉଛି ତାଙ୍କର ସେହି ଆଧ୍ୟାତ୍ମିକ ଯାତ୍ରା ଯାହା ବ୍ୟକ୍ତିକୁ ସମୂହ ଆଡ଼କୁ ନେଇଯାଇଥାଏ। ଏହା ତାଙ୍କୁ ‘ମୁଁ’ରୁ ‘ଆମେ’ ଆଡ଼କୁ ନେଇଯାଇଥାଏ। ମୁଁ ନୁହେଁ ଆପଣମାନେ ହେଉଛନ୍ତି ଏହାର ‘ସଂସ୍କାର ସାଧନା’।
ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ମନ୍ କୀ ବାତ୍ ଏକ ମଞ୍ଚରେ ପରିଣତ ହୋଇଛି ଯାହା ବିଭିନ୍ନ ସାମାଜିକ ଅଭିଯାନକୁ ଆଗକୁ ବଢ଼ାଉଥିବା ନାରୀମାନଙ୍କୁ ଆଗକୁ ଆଣିଥାଏ। ଦେଶର ବିଭିନ୍ନ ସ୍ଥାନର ମହିଳାମାନଙ୍କ କୃତୀତ୍ବକୁ ସେ ବିଭିନ୍ନ ସମୟରେ ଏହି କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି। ଏହାକୁ ବିଭିନ୍ନ ମହଲରୁ ପ୍ରଶଂସା ବି କରାଯାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ସେନା ହେଉ ବା କ୍ରୀଡ଼ାକ୍ଷେତ୍ର, ସେ ଯେତେବେଳେ ମହିଳାଙ୍କ କୃତୀତ୍ବକୁ ତୋଳିଧରିଛନ୍ତି, ତାହାକୁ ସର୍ବତ୍ର ପ୍ରଶଂସା କରାଯାଇଛି। ଯେପରି ସେ ଛତିଶଗଡ଼ର ଦେଉର ଗାଁର ମହିଳାଙ୍କ କଥା କହିଛନ୍ତି। ଏହି ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗାଁ ପରିବେଶ, ରାସ୍ତା ଓ ମନ୍ଦିରକୁ ନିର୍ମଳ କରିଛନ୍ତି। ସେହିପରି ତାମିଲନାଡ଼ୁର ଆଦିବାସୀ ମହିଳାମାନେ ହଜାର ହଜାର ପରିବେଶ-ଅନୁକୂଳ ଟେରାକୋଟା କପ୍ ରପ୍ତାନି କରିଛନ୍ତି। ତାମିଲନାଡ଼ୁରେ ୨୦,୦୦୦ ମହିଳା ଭେଲୋରସ୍ଥିତ ନାଗ ନଦୀକୁ ପୁନରୁଜ୍ଜୀବିତ କରିଛନ୍ତି। ମନ୍ କୀ ବାତ୍ କାର୍ଯ୍ୟକ୍ରମ ଏହିପରି ନାରୀଶକ୍ତିର କୃତୀତ୍ବକୁ ଲୋକଲୋଚନକୁ ଆଣିଛି।
ପ୍ରଧାନମନ୍ତ୍ରୀ କହିଲେ, ଲୋକଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ଦେଶବାସୀଙ୍କ ସମ୍ମୁଖରେ ମୁଁ ଉପସ୍ଥାପନା କରିଆସିଛି। ଉଦାହରଣ ସ୍ବରୂପ, କେଉଁଠି ଦେଶବାସୀ ୪୦ ବର୍ଷ ଧରି ଥୁଣ୍ଟା ପାହାଡ଼ରେ ବୃକ୍ଷରୋପଣ କଲେ, ବହୁଲୋକ ୩୦ ବର୍ଷ ଧରି ଜଳସଂରକ୍ଷଣ ପାଇଁ କୂଅ ବା ପୋଖରୀ ଖୋଳିଲେ ଏବଂ ସେଗୁଡ଼ିକୁ ସଫା ବି କଲେ, ଆଉ କେତେକ ଲୋକ ୨୫-୩୦ ବର୍ଷ ଦୁର୍ବଳବର୍ଗର ପିଲାଙ୍କୁ ପାଠ ପଢ଼ାଇଲେ, କେତେକ ଲୋକ ଗରିବ ଲୋକଙ୍କ ଚିକିତ୍ସା ବି କଲେ। ମନ୍ କୀ ବାତ୍ରେ ସେମାନଙ୍କ ଉଦାହରଣ ଦେବା ବେଳେ ମୁଁ ଭାବପ୍ରବଣ ହୋଇପଡ଼ିଥାଏ ବୋଲି ମୋଦୀ କହିଥିଲେ।
ଆଜି ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ର ୧୦୦ତମ ସଂସ୍କରଣ ରେଡିଓ ମାଧ୍ୟମରେ ପ୍ରସାରିତ ହୋଇଛି। ଏହାର ପ୍ରଥମ ପ୍ରସାରଣ ୨୦୧୪ ଅକ୍ଟୋବର ୩ରେ ଆରମ୍ଭ ହୋଇଥିଲା। ଏଥିରେ ସେ ମହିଳା, ଯୁବକ, କୃଷକ, ଆଦିବାସୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ବିଷୟରେ ଆଲୋଚନା କରିଆସିଛନ୍ତି। ଆଜି କେବଳ ହିନ୍ଦୀ ବା ଇଂଲିସ ନୁହେଁ ୨୨ଟି ଭାରତୀୟ ଭାଷା ଓ ୨୯ଟି ଉପଭାଷାରେ ଏହା ପ୍ରସାରିତ ହୋଇଛି। କେବଳ ସେତିକି ନୁହେଁ ୧୧ଟି ବିଦେଶୀ ଭାଷା ଯଥା ଫରାସୀ, ଚାଇନିଜ୍, ଇଣ୍ଡୋନେସୀୟ, ତିବ୍ବତୀୟ, ବର୍ମିଜ୍, ବେଲୁଚି, ଆରବୀ, ପାସ୍ତୁ, ପର୍ସିଆନ, ଦାରୀ ଓ ସ୍ବାହିଲି ଭାଷାରେ ମଧ୍ୟ ଏହା ପ୍ରସାରିତ ହୋଇଛି। ଏହା ଅଲ୍ ଇଣ୍ଡିଆ ରେଡିଓର ୫୦୦ କେନ୍ଦ୍ରରେ ପ୍ରସାରିତ ହୋଇଛି। ଏକକାଳୀନ ୧୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ଏହି କାର୍ଯ୍ୟକ୍ରମ ସହ ସଂଯୋଜିତ ହୋଇଛନ୍ତି। ସାରା ଦେଶରେ ଏହାର ଅନୁକୂଳ ପ୍ରଭାବ ପଡ଼ିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।