କ୍ଷମତା ରାଜନୀତିରେ ମୋଦୀଙ୍କ ୨୧ ବର୍ଷ, ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଭିତରେ ନରେନ୍ଦ୍ର ମୋଦୀ କ୍ଷମତା ରାଜନୀତିରେ ପ୍ରାୟ ୨୧ ବର୍ଷ ଅତିବାହିତ କରିସାରିଲେଣି। ଏହି ସମୟ ମଧ୍ୟରେ ସେ ଜଣେ ଲୋକପ୍ରିୟ ବିଶ୍ବନେତା ଭାବେ ପରିଗଣିତ ହେବା ସହ ତାଙ୍କ ଦଳ ବିଜେପିରେ ବି ବିରାଟ ରୂପାନ୍ତର ଘଟାଇଛନ୍ତି। ତାଙ୍କ ନେତୃତ୍ବରେ ବିଜେପି ଏକ ନିର୍ବାଚନ-ବିଜୟୀ ଯନ୍ତ୍ରରେ ପରିଣତ ହୋଇଛି। ହିନ୍ଦୁତ୍ବବାଦ ଓ ଧର୍ମକୁ ସେ ଖୋଲାଖୋଲି ଭାବେ ରାଜନୀତିର ଅଙ୍ଗରେ ପରିଣତ କରିଦେଇଛନ୍ତି। ତାଙ୍କର ୭୨ତମ ଜନ୍ମଦିନରେ ତାଙ୍କର ୨୧ ବର୍ଷର ରାଜନୈତିକ ଉତ୍ଥାନ ଓ ଲୋକପ୍ରିୟତା ବିଷୟରେ କିଞ୍ଚିତ୍ ଆଲୋଚନା।

ପଦାସୀନତାରେ ୨୧ ବର୍ଷ
୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦୀ ଯେତେବେଳେ ଶପଥ ନେଲେ ସେତେବେଳେ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା। ଅନେକ ବର୍ଷ ଧରି ଉତ୍ସର୍ଗୀକୃତ ଦଳୀୟ କର୍ମୀଭାବେ କାର୍ଯ୍ୟ କରିବା ପରେ ହଠାତ୍ ସେ ନିଜକୁ ଉଚ୍ଚ କ୍ଷମତା ଅଳିନ୍ଦରେ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ପାଇଲେ। ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିନାହାନ୍ତି।

ସେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀଭାବେ ୧୨ ବର୍ଷ ୨୨୭ ଦିନ କାର୍ଯ୍ୟ କରିଛନ୍ତି। ୨୦୧୪ରେ ସେ ଦେଶର ୧୪ଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ଏବଂ ଆଜି (ସେପ୍ଟେମ୍ବର ୧୭, ୨୦୨୨) ଯାଏ ୩,୦୩୬ ଦିନ ହେଲା କ୍ଷମତାରେ ରହିଛନ୍ତି। ଏହା ତାଙ୍କୁ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ପରେ ଏକ ନିର୍ବାଚିତ ସରକାର (ରାଜ୍ୟ ବା କେନ୍ଦ୍ର)ର ଶାସନମୁଖ୍ୟ ଭାବେ ସର୍ବାଧିକ ୭,୬୫୦ ଦିନ କାର୍ଯ୍ୟ କରିବାର ଗୌରବ ପ୍ରଦାନ କରୁଛି। ତେବେ ନେହେରୁ ବା ଇନ୍ଦିରା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ନ ଥିଲେ। ପ୍ରଧାନମନ୍ତ୍ରୀ ଭାବେ ସେମାନେ ଯଥାକ୍ରମେ ୬,୧୩୦ ଓ ୫,୮୨୯ ଦିନ କାର୍ଯ୍ୟ କରିଥିଲେ।

ସର୍ବାଧିକ କାଳ କ୍ଷମତାରେ ରହିବାରେ ଚତୁର୍ଥ ପ୍ରଧାନମନ୍ତ୍ରୀ
ଅଦ୍ୟାବଧି ୩୦୦୦ରୁ ଅଧିକ ଦିନ (୩,୦୩୬) ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ନେ‌ହରୁ, ଇନ୍ଦିରା ଓ ମନମୋହନ ସିଂହଙ୍କ ପରେ ମୋଦୀ ହେଉଛନ୍ତି ଚତୁର୍ଥ ପ୍ରଧାନମନ୍ତ୍ରୀ। ଯଦି ସେ ୨୦୨୪ ମେ ୨୯ ପର୍ଯ୍ୟନ୍ତ କ୍ଷମତାରେ ରହିବେ ତେବେ ମନମୋହନ ସିଂହଙ୍କୁ ଟପି ତୃତୀୟ ସ୍ଥାନକୁ ଉଠିବେ। ତେବେ ନେହେରୁଙ୍କ ରେକର୍ଡକୁ ଟପିବାକୁ ହେଲେ ତାଙ୍କୁ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ପଡ଼ିବ।

Photo: Aaj tak

ସବୁଠୁ ଲୋକପ୍ରିୟ ବିଶ୍ବନେତା
ଏକ ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍‌ଟ ଦ୍ବାରା କରାଯାଇଥିବା ସେପ୍ଟେମ୍ବର ୬-୧୭ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା, ଯାହାଙ୍କର ଆପ୍ରୁଭାଲ ରେଟିଂ ହେଉଛି ୭୫ ପ୍ରତିଶତ। ୭୦ ପ୍ରତିଶତରୁ ଅଧିକ ରେଟିଂ ପାଇ ଅନେକ ସପ୍ତାହ ହେ‌ଲା ସେ ବିଶ୍ବ ଲୋକପ୍ରିୟତାରେ ଶୀର୍ଷରେ ରହିଆସିଛନ୍ତି। ଡିସ୍‌ଆପ୍ରୁଭାଲ ରେଟିଂରେ ମଧ୍ୟ ସେ ସବା ତଳେ ଅଛନ୍ତି, ମାତ୍ର ୨୦ ପ୍ରତିଶତ।

ସର୍ଭେ ଅନୁସାରେ ମୋଦୀଙ୍କ ଲୋକପ୍ରିୟତା ୨୦୨୦ ଏପ୍ରିଲ-ମେ’ରେ ୮୪ ପ୍ରତିଶତ ଯାଏ ବଢ଼ିଯାଇଥିଲା, ଯେତେବେଳେ କୋଭିଡ୍ ମହାମାରୀ ବିଶ୍ବକୁ କବଳିତ କରିଥି‌ଲା। କୋଭିଡ୍‌ର ଦ୍ବିତୀୟ ଲହର ସମୟରେ ସରକାର ଅଧିକ ସମାଲୋଚନାର ଶିକାର ହେବାରୁ ୨୦୨୧ରେ ତାହା ୬୩ ପ୍ରତିଶତକୁ ଖସିଗଲା। ଏବେ ତାଙ୍କ ଲୋକପ୍ରିୟତା ପୁଣି ବଢ଼ି ୭୪ ପ୍ରତିଶତ ହୋଇଛି ଏବଂ ତାଲିକାରେ ମେକ୍ସିକୋର ଆଣ୍ଡ୍ରିଜ୍ ମାନୁଏଲ ଲୋପେଜ ଓବ୍ରାଟରଙ୍କୁ ପଛରେ ପକାଇ ଶୀର୍ଷରେ ରହିଛି।

ସାମାଜିକ ଗଣମାଧ୍ୟମରେ ସର୍ବାଧିକ ଅନୁଗାମୀ
ସାମାଜିକ ଗଣମାଧ୍ୟମ‌ ହେଉଛି ଲୋକପ୍ରିୟତାର ଏକ ବଡ଼ ମାନଦଣ୍ଡ, ଯାହା ଦର୍ଶାଉଛି ମୋଦୀ ହିଁ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା। ଟ୍ବିଟର, ଇନ୍‌ଷ୍ଟାଗ୍ରାମ୍ ଓ ଫେସ୍‌ବୁକ୍‌ରେ ତାଙ୍କର ୨୦୦ ନିୟୁତରୁ ଅଧିକ ଅନୁଗାମୀ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ଅଛନ୍ତି ଇନ୍ଦୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଯାହାଙ୍କର ମାତ୍ର ୭୬.୫ ନିୟୁତ ଅନୁଗାମୀ ଅଛନ୍ତି। ଯଦି ଆମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଡୋନାଲ୍‌ଡ ଟ୍ରମ୍ପଙ୍କୁ ବିଚାରକୁ ନେବା ତେବେ ମୋଦୀଙ୍କ ସ୍ଥାନ ଦ୍ବିତୀୟକୁ ଚାଲିଯିବ କାରଣ ଓବାମାଙ୍କ ଅନୁଗାମୀ ସଂଖ୍ୟା ହେଉଛି ୨୨୩.୪ ନିୟୁତ।

ସମ୍ବନ୍ଧିତ ଖବର