ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍ : ସ୍ୱଦେଶୀ ଅର୍ଥନୀତି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଅର୍ଥନୀତିକୁ ଉଦ୍ଧାର କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ସ୍ୱଦେଶୀ ଅର୍ଥନୀତି ଗଢିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ପ୍ୟାକେଜରେ ଲାଣ୍ଡ (ଭୂମି),ଲେବର(ଶ୍ରମ), ଲିକ୍ୱିଡିଟି( ନଗଦ ଅର୍ଥ) ଓ ଲ (ଆଇନ) କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ୟାକେଜରେ ଦେଶର ଲକ୍ଷ ଲକ୍ଷ ଶ୍ରମିକ, କୃଷକ, ଟିକସ ଦେଉଥିବା ମଧ୍ୟବିତ୍ତମାନଙ୍କ ଧ୍ୟାନ ରଖାଯାଇଛି । ଏଥିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା, କୃଷି ଉପର ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ  ମୋଦୀ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରି କହିଥିଲେ ଯେ କରୋନା ମହାମାରୀ କାରଣରୁ ଦେଖାଦେଇଥିବା ସଙ୍କଟ ଅପ୍ରତ୍ୟାଶିତ, କିନ୍ତୁ ଏହି ଯୁଦ୍ଧରେ ଆମେ ନିଜକୁ ସୁରକ୍ଷିତ ରଖି ଆଗକୁ ଆଗେଇଯିବା ଆବଶ୍ୟକ । ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟପୂରଣ କରିବାକୁ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ।  ଜାଗତିକ ପରିଦୃଶ୍ୟରେ ଆତ୍ମନିର୍ଭରଶୀଳତାର ସଂଜ୍ଞା ବଦଳିଯାଇଛି। ବର୍ତ୍ତମାନ ଦେଶ ଯେତେବେଳେ ଆତ୍ମନିର୍ଭରଶୀଳତାର କଥା କହୁଛି ଏହାର ଅର୍ଥ ଆତ୍ମକୈନ୍ଦ୍ରିକ ହେବା ଆଦୌ ନୁହେଁ । ସେ କହିଥିଲେ ଯେ ଭାରତୀୟ ସଂସ୍କୃତିରେ ବିଶ୍ବକୁ ଗୋଟିଏ ପରିବାର ଭାବେ ଦେଖିବା ଲାଗି ଉପଦେଶ ଦିଆଯାଇଛି । ଭାରତର ପ୍ରଗତି ସମଗ୍ର ବିଶ୍ବର ପ୍ରଗତିରେ ଯୋଗଦାନ ଦେଇପାରିବ ଏବଂ ଏହାର ଅଂଶବିଶେଷ ହୋଇପାରିବ। ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ ଯୋଗଦାନ ଦେବା ଲାଗି ଭାରତ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଭାରତର ମୂଳଦୁଆ ୫ଟି ସ୍ତମ୍ଭ ଉପରେ ଛିଡ଼ା ହୋଇଛି : ପ୍ରଥମଟି ହେଉଛି ଅର୍ଥନୀତି, ୨ୟ ଟି ହେଉଛି ଭିତ୍ତିଭୂମି, ୩ୟଟି ହେଉଛି ପ୍ରଯୁକ୍ତି ଭିତ୍ତିକ ଆମର ବ୍ୟବସ୍ଥା , ୪ର୍ଥଟି ହେଉଛି ଆମର ଗଣତନ୍ତ୍ର ଓ ୫ମ ଟି ହେଉଛି ଆମର ଚାହିଦା ।

ଆତ୍ମନିର୍ଭରଶୀଳତାର ପାଞ୍ଚଟି ସ୍ତମ୍ଭ

କଚ୍ଛରେ ପ୍ରଳୟଙ୍କରୀ ଭୂମିକମ୍ପର  ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୃଢ଼ସଂକଳ୍ପ ଏବଂ ପ୍ରତିବଦ୍ଧତା ଜରିଆରେ ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହୋଇପାରିଥିଲା କଚ୍ଛ । ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ସମାନ ଧରଣର ସଂକଳ୍ପବଦ୍ଧତାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଆତ୍ମନିର୍ଭରଶୀଳ ଭାରତ ପାଞ୍ଚଟି ସ୍ତମ୍ଭ ଉପରେ ନିର୍ଭରଶୀଳ ହେବା ଉଚିତ। ସେଗୁଡ଼ିକ ହେଲା-

୧-ଅର୍ଥବ୍ୟବସ୍ଥା-ଯାହା ଅସ୍ଥିର ନୁହେଁ ବରଂ ସାମଗ୍ରୀକ ବିକାଶ ଆଣିବ;

୨-ଭିତ୍ତିଭୂମି- ଯାହା ଭାରତର ପରିଚୟ ହେବା ଉଚିତ;

୩-ବ୍ୟବସ୍ଥା-ଯାହା ଏକବିଂଶ ଶତାବ୍ଦୀର ପ୍ରଯୁକ୍ତି ପରିଚାଳିତ ବ୍ୟବସ୍ଥା ଉପରେ ଆଧାରିତ ହୋଇଥିବ;

୪-ଉତ୍ସାହୀ ଜନସଂଖ୍ୟା-ଯାହା ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମ ଶକ୍ତିର ଉତ୍ସ ଏବଂ;

୫-ଚାହିଦା- ଯାହା ଆମର ଚାହିଦା ଓ ଯୋଗାଣ ଶୃଙ୍ଖଳର ସାମର୍ଥ୍ୟକୁ ପୂର୍ଣ୍ଣ କ୍ଷମତା ସହିତ ଉପଯୋଗ କରୁଥିବ ।

ଚାହିଦା ପୂରଣ କରିବା ଏବଂ ବଢ଼ାଇବା ନିମନ୍ତେ ଯୋଗାଣ ଶୃଙ୍ଖଳର ସମସ୍ତ ଅଂଶୀଦାରମାନଙ୍କୁ ସୁଦୃଢ଼ କରିବା ଉପରେ ସେ ଜୋର ଦେଇଥିଲେ।ସେ କହିଛନ୍ତି ଯେ ଭାରତରେ ବିଶ୍ୱର ଦକ୍ଷ ପ୍ରତିଭା ରହିଛି । ଏହାକୁ ଉପଯୋଗ କରି ଭାରତ ବିଶ୍ୱରେ ସର୍ବୋତ୍ତମ ସାମଗ୍ରୀ ତିଆରି କରିପାରିବ ଓ ଗ୍ଲୋବାଲ ସପ୍ଲାଇ ଚେନକୁ ଅକ୍ତିଆର କରିପାରିବ ।

ସମ୍ବନ୍ଧିତ ଖବର