ଧାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୫ତମ ଜନ୍ମଦିନରେ ମଧ୍ୟପ୍ରଦେଶର ଧାରରେ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଓ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସେ ଅନେକ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ଭାରତର କଠୋର ନୀତିକୁ ଜୋର୍ ଦେଇ କହିଛନ୍ତି, ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ । ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅପରେସନ୍ରେ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ଼ା ଧ୍ୱଂସ କରିଥିଲା ଏବଂ ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଆଣ୍ଠେଇ ଥିଲା।
ମୋଦୀ ଆତ୍ମନିର୍ଭର ଭାରତକୁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଢ଼ିବାର ମୂଳ ସ୍ତମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ସେ ନାଗରିକମାନଙ୍କୁ କେବଳ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ କିଣିବାକୁ ଓ ବିକ୍ରି କରିବାକୁ ଆହ୍ୱାନ ଦେଇ କହିଛନ୍ତି, ‘ଦୀପାବଳି ପାଇଁ କିଣୁଥିବା ଜିନିଷ, ଟିଭି, ଫ୍ରିଜ୍ ହେଉ କି ଅନ୍ୟ ସାମଗ୍ରୀ, ସବୁ ଭାରତୀୟ ହେବା ଦରକାର।’ ସେ ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ଏହାକୁ ଅର୍ଥନୀତିର ମେରୁଦଣ୍ଡ ବୋଲି କହିଛନ୍ତି। ୨୨ ସେପ୍ଟେମ୍ବର ୨୦୨୫ରୁ ଜିଏସ୍ଟି ହାର ହ୍ରାସ ହେବାକୁ ଥିବାରୁ ରାଜ୍ୟ ସରକାରମାନଙ୍କୁ ସ୍ୱଦେଶୀ ଉତ୍ପାଦ ପାଇଁ ପ୍ରୋତ୍ସାହନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଧାରରେ ଆଜି ପ୍ରଧାନମନ୍ତ୍ରୀ ‘ପିଏମ୍ ମିତ୍ର ପାର୍କ’ ଶୁଭାରମ୍ଭ କରି ଏହାକୁ କର୍ମନିଯୁକ୍ତି ଓ ବସ୍ତ୍ର ଶିଳ୍ପ ବୃଦ୍ଧିର ମାଧ୍ୟମ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ଗରିବ, ମହିଳା ଓ ଆଦିବାସୀଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି। ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଓ ଅଷ୍ଟମ ଜାତୀୟ ପୋଷଣ ମାସ ଆରମ୍ଭ କରି ୧୦୦,୦୦୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ମହିଳା, କିଶୋରୀ ଓ ଶିଶୁଙ୍କ ରୋଗ ପରୀକ୍ଷା କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମା’ ସୁସ୍ଥ ଥିଲେ ସବୁ ଠିକ୍, ମା’ ଅସୁସ୍ଥ ହେଲେ ସମସ୍ତେ ଅସୁସ୍ଥ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/18/untitled-15-2025-09-18-06-51-35.jpg)