ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବି ବିଜୟୀ ହେବେ ନାହିଁ, ଭାରତ ଶାନ୍ତି ସପକ୍ଷରେ ଏବଂ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଭାରତ ନିବେଦନ କରୁଛି ବୋଲି ଜର୍ମାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୋମବାର ବର୍ଲିନସ୍ଥିତ ଚାନ୍ସେଲେରି (ଚାନ୍ସେଲର ଭବନ)ଠାରେ ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍ଜ ଗଣମାଧ୍ୟମକୁ ମିଳିତ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ମୋଦୀ କହିଛନ୍ତି, ଏହି ଯୁଦ୍ଧରେ କେହି ବି ବିଜେତା ହେବେ ନାହିଁ ଏବଂ ରୁଷ୍ ଓ ୟୁକ୍ରେନ୍ ଉଭୟ ଦେଶ ଭୟଙ୍କର କ୍ଷତି ସହିବେ। ସେଥିପାଇଁ ଆମେ ଚାହୁଁଛୁ ଆଉ ଯୁଦ୍ଧ ନ ହେଉ। ୟୁକ୍ରେନ୍ ସଂକଟ ଯୋଗୁ ତେଲ ଦର ଆକାଶଛୁଆଁ ହୋଇଛି। ଖାଦ୍ୟଶସ୍ୟ ଓ ସାରର ଘୋର ଅଭାବ ଦେଖାଦେଇଛି। ଫଳରେ ସାରା ପୃଥିବୀର ପ୍ରତିଟି ପରିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ପୁଣି କହିଛନ୍ତି, ଗଣତାନ୍ତ୍ରିକ ଦେଶଗୁଡ଼ିକ ମଧ୍ୟରେ ଭାରତ ଓ ଜର୍ମାନୀ ପରସ୍ପର ସହ ଅନେକ ସାଧାରଣ ମୂଲ୍ୟବୋଧର ଆଦାନପ୍ରଦାନ କରିଛନ୍ତି। ୨୦୨୨ରେ ମୋର ପ୍ରଥମ ବିଦେଶ ଗସ୍ତ ଜର୍ମାନୀରୁ ଆରମ୍ଭ ହେଉଥିବାରୁ ମୁଁ ଖୁସି। କୌଣସି ବିଦେଶୀ ନେତାଙ୍କ ସହ ମୋର ପ୍ରଥମ ଦୂରଭାଷୀୟ ବାର୍ତ୍ତାଳାପ ହୋଇଥିଲା ମୋର ବନ୍ଧୁ ଚାନ୍ସେଲର ଓଲାଫ ସ୍କଲ୍ଜଙ୍କ ସହ। ଆଜିର ଷଷ୍ଠ ଇଣ୍ଟର-ଗଭର୍ଣ୍ଣମେଣ୍ଟାଲ କନ୍ସଲଟେସନ୍ସ (ଆଇଜିସି) ସୂଚାଉଛି ଦୁଇଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆମେ କେତେ ଗୁରୁତ୍ବ ଦେଉଛୁ।
ଜର୍ମାନୀରେ ହେବାକୁ ଥିବା ଜି-୭ ଶିଖର ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ସହ ସ୍କଲ୍ଜ କହିଥିଲେ ଯେ, ରୁଷିଆ ୟୁକ୍ରେନ୍କୁ ଆକ୍ରମଣ କରି ଜାତିସଂଘ ଚାର୍ଟରର ଉଲ୍ଲଂଘନ କରିଛି। ପରେ ମୋଦୀ କହିଥିଲେ, ଭାରତ ଓ ଜର୍ମାନୀ ହାଇଡ୍ରୋଜେନ୍ ଟାସ୍କଫୋର୍ସ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସ୍କଲ୍ଜ କହିଥିଲେ, ଭାରତ ହେଉଛି ଆମର ଗୁରୁତ୍ବପୂର୍ଣ୍ଣ ଅଂଶୀଦାର। ଦେଶ ଦେଶ ଭିତରେ ସୁସମ୍ପର୍କ ରହିଲେ ବିଶ୍ବର ବିକାଶ ସମ୍ଭବ, ସବୁ କ୍ଷମତା ଗୋଟିଏ ଦୁଇଟି ଦେଶ ପାଖରେ ଠୁଳ ହୋଇ ରହିଲେ ନୁହେଁ। ସେ ପୁଣି କହିଲେ ଯେ ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ରାଜିନାମା କଥାବାର୍ତ୍ତାରେ ତ୍ବରିତ ଅଗ୍ରଗତି ପାଇଁ ଭାରତ ପ୍ରତିବଦ୍ଧ। ୩ ଦିନିଆ ବିଦେଶ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୮ ଜଣ ବିଶ୍ବସ୍ତରର ନେତା ଏବଂ ୫୦ ଜଣ ଅନ୍ତର୍ଜାତୀୟ ସ୍ତରର ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବେ। ବିଦେଶ ଗସ୍ତ ଅବଧିରେ ତାଙ୍କର ୨୫ଟି କାର୍ଯ୍ୟସୂଚୀ ରହିଛି। ଭାରତ ଓ ଜର୍ମାନୀ ମଧ୍ୟରେ ଆଜି କେତେକ ବାଣିଜ୍ୟିକ ଚୁକ୍ତି ହୋଇଛି। ଏଥିରେ ୨୦୩୦ ସୁଦ୍ଧା ଜର୍ମାନୀ ଭାରତକୁ ୧୦.୫ ବିଲିଅନ ଡଲାର ପାଣ୍ଠି ପ୍ରଦାନ କରିବ, ଯାହାକୁ ସବୁଜ ଶକ୍ତିର ପ୍ରୋତ୍ସାହନ ଲାଗି ବିନିଯୋଗ କରାଯିବ। ଭାରତ-ଜର୍ମାନୀ ଷଷ୍ଠ ଆଇଜିସି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲ ଯୋଗ ଦେଇଛନ୍ତି।