ମୋଦୀଙ୍କ ସମ୍ପତ୍ତି ସାମାନ୍ୟ ବଢ଼ିଛି, ଶାହଙ୍କର ୪ କୋଟି କମିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗତବର୍ଷ ତୁଳନାରେ ସମ୍ପତ୍ତିର ମୂଲ୍ୟ ଅଧିକ ହୋଇଛି। ସେ ରଖିଥିବା ବ୍ୟାଙ୍କ ଜମା ଏବଂ ଅନ୍ୟାନ୍ୟ ନିରାପଦ ନିବେଶଗୁଡ଼ିକରୁ ମିଳିଥିବା ଅର୍ଥ ଯୋଗୁଁ ମୋଦୀଙ୍କ ସମ୍ପତ୍ତିରେ ୩୬ଲକ୍ଷ ଟଙ୍କାର ବୃଦ୍ଧି ଘଟିଥିବା ଜଣାଯାଇଛି। ଅପରପକ୍ଷେ, ଏକ ଗୁଜରାଟୀ ଧନୀ ପରିବାରର ସଦସ୍ୟ ଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କର ସମ୍ପତ୍ତି ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମିଛି। ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ୪ କୋଟି ଟଙ୍କା କ୍ଷତି ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ମିଳିଥିବା ସୂଚନାନୁଯାୟୀ, ଗତ ଜୁନ୍‌ ସୁଦ୍ଧା ମୋଦୀଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨ କୋଟି ୮୫ ଲକ୍ଷ ହୋଇଛି। ବର୍ଷକ ତଳେ ତାହା ୨ କୋଟି ୪୯ ଲକ୍ଷ ରହିଥିଲା। ମୁଖ୍ୟତଃ ତାଙ୍କ ନାମରେ ରହିଥିବା ବ୍ୟାଙ୍କ ଜମାରୁ ଏଇ ବର୍ଷକ ଭିତରେ ୩.୩ ଲକ୍ଷ ଟଙ୍କା ଅଧିକ ମିଳିବା ସହ ବିଭିନ୍ନ ସଂସ୍ଥାରେ ସେ ଖଟାଇଥିବା ପୁଞ୍ଜିରୁ ୩୩ ଲକ୍ଷ ଟଙ୍କା ମିଳିଥିବାରୁ ତାଙ୍କର ମୋଟ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଗଦ ୩୧,୪୫୦ ଟଙ୍କା ଓ ବ୍ୟାଙ୍କରେ ୩,୩୮,୧୭୩ ଟଙ୍କା ରହିଛି।

ସେହିପରି ଅବଧି ଜମା ଓ ମୋଡିଫାଏଡ୍‌ ରାଶି ମିଶି ୧,୬୦,୨୮,୯୩୯ ଟଙ୍କା ରହିଥିବା ବେଳେ ୮,୪୩,୧୨୪ ଟଙ୍କାର ଜାତୀୟ ସଞ୍ଜୟ ପ୍ରମାଣପତ୍ର (ଏନ୍‌ଏସ୍‌ସି), କୋଡ଼ିଏ ହଜାର ଟଙ୍କାର ଟାକ୍ସ ସେଭିଂ ଇନ୍‌ଫ୍ରା ବଣ୍ଡ୍‌ ଓ ୧,୫୦,୯୫୭ ଟଙ୍କାର ବୀମା ରାଶି ରହିଛି।

ପ୍ରଧାନମନ୍ତ୍ରୀଙ୍କର କୋଟିଏ ୭୫ ଲକ୍ଷ ଟଙ୍କାରୁ ଅଳ୍ପ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ସେ କୌଣସି ଋଣ କରିନଥିବା ବେଳେ ତାଙ୍କ ନାମରେ ମଧ୍ୟ କୌଣସି ଗାଡ଼ିନଥିବା ସେ ଦର୍ଶାଇଛନ୍ତି। ଅପରପକ୍ଷେ, ତାଙ୍କର ଦେଢ଼ ଲକ୍ଷ ଟଙ୍କାର ୪୫ ଗ୍ରାମ୍‌ ଓଜନ ବିଶିଷ୍ଟ ୪ଟି ହାତମୁଦି ରହିଛି ଏବଂ ଗାନ୍ଧିନଗରରେ ଏକ ଜାଗାର ସେ ଅଂଶୀଦାର ଅଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ଅନୁଯାୟୀ, ଗତ ଜୁନ୍‌ ୩୦ ସୁଦ୍ଧା ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮କୋଟି ୬୩ ଲକ୍ଷ ରହିଛି। ବର୍ଷକ ତଳେ ତାହା ୩୨ କୋଟି ୩୦ ଲକ୍ଷ ରହିଥିଲା।

ଗୁଜରାଟରେ ତାଙ୍କ ନାମରେ ୧୦ଟି ସ୍ଥାବର ସମ୍ପତ୍ତି ରହିଛି ଏବଂ ତାଙ୍କ ନିଜର ଓ ମାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତିର ମୂଲ୍ୟ ୧୩ କୋଟି ୫୬ ଲକ୍ଷ ରହିଛି।

ଅମିତ ଶାହଙ୍କ ପାଖରେ ନଗଦ ୧୫,୮୧୪ ଟଙ୍କା ଓ ବ୍ୟାଙ୍କରେ କୋଟିଏ ୪ ଲକ୍ଷ ଟଙ୍କା ରହିଛି।

୧୩ ଲକ୍ଷ ୪୭ ଲକ୍ଷ ଟଙ୍କାର ବୀମାରାଶି, ୨କୋଟି ୭୯ ଲକ୍ଷ ଟଙ୍କାର ଅବଧି ଜମା ଓ ୪୪ଲକ୍ଷ ୪୭ ହଜାର ଟଙ୍କାର ଅଳଙ୍କାର ରହିଛି।

ଉତ୍ତରାଧିକାର ସୂତ୍ରରେ ପାଇଥିବା ୧୨ କୋଟି ୧୦ ଲକ୍ଷ ଟଙ୍କାର ପ୍ରତିଭୂତି(ସିକ୍ୟୁରିଟି)କୁ ମିଶାଇ ତାଙ୍କର ସାଢ଼େ ୧୩ କୋଟି ଟଙ୍କାର ପ୍ରତିଭୂତି ରହିଛି ଯାହାର ବଜାର ମୂଲ୍ୟ ଗତବର୍ଷ ୧୯ କୋଟି ୯୦ ଲକ୍ଷ ରହିଥିଲା।

ସମ୍ବନ୍ଧିତ ଖବର