ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଠିକଣାରୁ ଆୟକର ବିଭାଗ ୩୫୦ କୋଟି ଟଙ୍କାରୁ ଅଧିକ ଜବତ କରିବା ପରେ ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ କଂଗ୍ରେସ ଦଳକୁ ଶାଣିତ କଟାକ୍ଷ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ ବିଜେପି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ସେଥିରେ ରାଜ୍ୟସଭା ସାଂସଦ ସାହୁଙ୍କୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧିଙ୍କ ସହ ଦେଖିବାକୁ ମିଳିଛି। ଏଥିସହିତ ଝାଡ଼ଖଣ୍ଡର ଏହି ସାଂସଦଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳୁଥିବା ସେହି ଭିଡିଓରେ ଦେଖାଯାଇଛି। ଆୟକର ଚଢ଼ଉରୁ ସେହି ଟଙ୍କା ମିଳିଛି। ବିଜେପି ସେହି ଭିଡିଓର ଶୀର୍ଷକ ‘ମନି ହାଇଷ୍ଟ୍’ ରଖିଛି। ଉକ୍ତ ସିରିଜ୍ର ଲୋକପ୍ରିୟ ଟାଇଟଲ୍ ଗୀତ ପ୍ରଚ୍ଛଦ ପଟରେ ବାଜୁଛି। ଏହି ଭିଡିଓ ପୋଷ୍ଟ୍ ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ମତ ରଖିଛନ୍ତି। ସେଥିରେ ସେ ଲେଖିଛନ୍ତି କଂଗ୍ରେସ ଦଳ ଥିଲେ ଭାରତରେ କିଏ ‘ମନି ହାଇଷ୍ଟ୍’ କାଳ୍ପନିକ କାହାଣୀ ଲୋଡ଼ିବ। କଂଗ୍ରେସର ଲୁଟ୍ ୭୦ ବର୍ଷ ହେଲା ସୁପ୍ରସିଦ୍ଧ ଏବଂ ଏହା ଚାଲିଛି।
ଓଡ଼ିଶାଭିତ୍ତିକ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡର ମାଲିକ ହେଉଛନ୍ତି ସାହୁ ପରିବାର। ଏହି ପରିବାରର ଧୀରଜ ସାହୁ ଝାଡ଼ଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଅଛନ୍ତି। ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରୁ ଆୟକର ବିଭାଗ ୩୫୧ କୋଟି ଟଙ୍କା ଜବତ କରିଛି। ଦେଶରେ କୌଣସି ତଦନ୍ତକାରୀ ସଂସ୍ଥା ଜଣଙ୍କ ଘରୁ ଟଙ୍କା ଜବତ କ୍ଷେତ୍ରରେ ଏହା ସର୍ବାଧିକ ବୋଲି କୁହାଯାଉଛି।