ମନ୍ କୀ ବାତ୍ରେ ମୋଦୀଙ୍କ ଆହ୍ବାନ: ଟିକାର ସୁରକ୍ଷା ବଳୟରୁ କେହି ବାଦ୍ ନପଡ଼ନ୍ତୁ
ନଦୀକୁ ପ୍ରଦୂଷଣମୁକ୍ତ ରଖ, ଗାନ୍ଧୀ ଜୟନ୍ତୀରେ ରେକର୍ଡ ଖଦି ବ୍ୟବସାୟ ପାଇଁ ଆହ୍ବାନ
ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ପାର୍ବଣ ସମୟରେ କୋଭିଡ-୧୯ ନିୟମକୁ ଲୋକମାନେ ପାଳନ କରିବା ଆବଶ୍ୟକ। ଏଥିସହିତ ଟିକାକରଣର ସୁରକ୍ଷା ବଳୟରୁ କେହି ଯେଭଳି ବାଦ୍ ନପଡ଼ନ୍ତି ତାହା ଉପରେ ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ବାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର ୮୧ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଏବେ ପାର୍ବଣ ସିଜନ୍ ଆସୁଛି। ଏହି ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅନ୍ୟାୟ ଉପରେ ବିଜୟ ଉତ୍ସବକୁ ସମଗ୍ର ଦେଶ ପାଳନ କରିବ। ଉତ୍ସବ ମନାଇବା ସହିତ ଦେଶବାସୀ କୋଭିଡ-୧୯କୁ ମଧ୍ୟ ମନେ ରଖିବା ଆବଶ୍ୟକ। ଦେଶରେ ଟିକାକରଣରେ ଅନେକ ରେକର୍ଡ ହୋଇଛି। ବିଶ୍ବବ୍ୟାପୀ ଏହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ନିଜ ପାଳି ଆସିବା ସମୟରେ ନିଜେ ଟିକା ନେବା ଉଚିତ। କେବଳ ସେତିକି ନୁହେଁ ଟିକାର ସୁରକ୍ଷା ବଳୟରୁ ଯେଭଳି କେହି ବାଦ୍ ନପଡ଼ନ୍ତି ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଶ୍ବ ନଦୀ ଦିବସ ଉପଲକ୍ଷେ ଭାରତ ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ା। ନଦୀ ଉଦ୍ଦେଶ୍ୟରେ ଆମେ ଏକାଧିକ ସଂଗୀତ ଗାନ କରୁଛେ। ନଦୀକୁ ମା’ ବୋଲି କହୁଛେ। କିନ୍ତୁ ସେଗୁଡ଼ିକ କାହିଁକି ପ୍ରଦୂଷିତ ହେଉଛି ବୋଲି ପ୍ରଶ୍ନ ମନରେ ଉଠିବା ଆବଶ୍ୟକ। ଆସନ୍ତା ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ରେକର୍ଡ ମାତ୍ରାର ଖଦି ବ୍ୟବସାୟ କରିବାକୁ ସେ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନାକୁ ଦୀନ ଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଦର୍ଶନ ପ୍ରତି ଉତ୍ସର୍ଗ କରିଛନ୍ତି।