ସମସ୍ତିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସମସ୍ତିପୁରରେ ଏକ ରାଲିରେ ଉଦ୍ବୋଧନ ଦେବା ଅବସରରେ ବିହାରରେ ଏନ୍ଡିଏ ପୁଣିଥରେ କ୍ଷମତାକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ କର୍ପୁରୀ ଗ୍ରାମରେ ଏକ ଜନସଭାରେ ଦିବଙ୍ଗତ ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଜଣାଇବା ସହ ଆର୍ଜେଡି-କଂଗ୍ରେସ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ଆର୍ଜେଡି ଶାସନ ସମୟର ‘ଜଙ୍ଗଲ ରାଜ’ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏନ୍ଡିଏକୁ ସାମାଜିକ ନ୍ୟାୟ ଓ ବିକାଶର ପ୍ରତୀକ ଭାବେ ଉପସ୍ଥାପନ କରିଛନ୍ତି। ମୋଦୀ ଆର୍ଜେଡି ଶାସନରେ ବିହାରର ଅରାଜକତା ସମୟକୁ ସ୍ମରଣ କରାଇ ସତର୍କ କରାଇଛନ୍ତି ଯେ ବିହାରରେ ଏନ୍ଡିଏ ଶାସନରେ ଯେଉଁ ବିକାଶ ଓ ସୁଶାସନର ସୁଫଳ ଲୋକଙ୍କୁ ମିଳିଛି ତାହା ଯେଭଳି ପଥଚ୍ୟୁତ ହେବନାହିଁ ସେଥିପାଇଁ ଜନସାଧାରଣଙ୍କୁ ସତର୍କତାର ସହ ନିଷ୍ପତ୍ତି ନେବାକୁ ପଡ଼ିବ।
‘ନୀତୀଶଙ୍କ ନେତୃତ୍ବରେ ଏନ୍ଡିଏ ସମସ୍ତ ନିର୍ବାଚନୀ ରେକର୍ଡ ଭାଙ୍ଗିବ’
ଆର୍ଜେଡିକୁ ନିଶାଣ କରି ମୋଦୀ ରାଲି ସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କୁ ପଚାରିଥିଲେ ଯେ ରାଜ୍ୟରେ ଲଣ୍ଠନର ଆବଶ୍ୟକତା ଅଛି କି ? ପ୍ରଥମେ ଲୋକମାନଙ୍କୁ ସେମାନଙ୍କ ଫୋନ୍ ଫ୍ଲାସ୍ଲାଇଟ୍ ଅନ୍ କରିବାପାଇଁ ଅନୁରୋଧ କରିବାପରେ ମୋଦୀ ଏହି ଟିପ୍ପଣୀ ଦେଇଥିଲେ। ମୋଦୀ କହିଥିଲେ, ଯେତେବେଳେ ଏତେ ଲାଇଟ୍ ଅଛି ସେଠାରେ ଆମ ପାଇଁ ଲଣ୍ଠନର ଆବଶ୍ୟକତା ନାହିଁ। ବିହାର ଏବେ ଲଣ୍ଠନ ଏବଂ ଏହାର ସହଯୋଗୀମାନଙ୍କୁ ଆବଶ୍ୟକ କରୁନାହିଁ ନାହିଁ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆର୍ଜେଡିର ଶାସନ ସମୟରେ ବିହାରରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ‘ଜଙ୍ଗଲ ରାଜ୍’ ବିହାରର ପିଢ଼ି ପରେ ପିଢ଼ିକୁ ଧ୍ବଂସ କରିଦେଇଛି ଏବଂ ମହିଳା, ଯୁବପିଢ଼ି ଏବଂ ପଛୁଆ ଶ୍ରେଣୀ ଏଥିପାଇଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦଳିତଙ୍କ ପାଇଁ ଆର୍ଜେଡି ନ୍ୟାୟର ରାସ୍ତା ବନ୍ଦ କରିଥିଲା। ମୋଦୀ କହିଛନ୍ତି, ଆର୍ଜେଡି ଶାସନ ଅଧୀନରେ ବିହାରରେ ଦାଦାବଟି ଆଦାୟ, ହତ୍ୟା, ଏବଂ ଅପହରଣ ବଢ଼ିଥିଲା। ଆର୍ଜେଡିର ଜଙ୍ଗଲରାଜ ସମୟରେ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ବଢ଼ିଥିଲା। ଏସବୁ ଫେରିବା ଲୋକେ କଦାପି ଚାହିବେ ନାହିଁ ବୋଲି ମୋଦୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/sfsffsxcxcxzc-2025-10-25-05-14-40.jpg)