ହିନ୍ଦୁତ୍ବ ପାଇଁ ମୋଦୀଙ୍କ ଅବଦାନ ଶୂନ: ସୁବ୍ରମଣ୍ୟମ ସ୍ବାମୀ

ଚେନ୍ନାଇ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁତ୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଶୂନ। ହିନ୍ଦୁତ୍ବର ପ୍ରସାର ପାଇଁ ସେ କିଛି କରୁନାହାନ୍ତି। ଚେନ୍ନାଇଠାରେ ଅନୁଷ୍ଠିତ ‘ଭାରତ ବିଶ୍ବଗୁରୁ ହୋଇପାରିବ କି’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଶୁକ୍ରବାର ସ୍ବାମୀ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣକୁ ମୋଦୀ ଶେଷ ପର୍ଯ୍ୟନ୍ତ ବିରୋଧ କରୁଥିଲେ।

ସ୍ବାମୀ କହିଛନ୍ତି, ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଥିବା ବେଳେ ମୋଦୀ ତାଙ୍କର ବନ୍ଧୁ ଏସ୍ ଗୁରୁସ୍ବାମୀଙ୍କ ମାଧ୍ୟମରେ ଏହା ବିରୋଧରେ ଏକ ପିଟିସନ ଦାୟର କରାଇଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ଜମି ଆବଣ୍ଟନ କରାଯାଇଛି, ତାକୁ ଫେରାଇ ଦେବା ପାଇଁ ମୋଦୀ ଚାହୁଥିଲେ। ସୁପ୍ରିମ୍‌କୋର୍ଟ ଏହି ପିଟିସନକୁ ଖାରଜ କରିଦେଲେ। ସ୍ବାମୀ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ମତପାର୍ଥକ୍ୟ ନାହିଁ। କିନ୍ତୁ ଚୀନ୍ ଓ ଆର୍ଥିକ ନୀତି ଉପରେ ମୋଦୀଙ୍କ ସହ ତାଙ୍କର କିଛି ମତପାର୍ଥକ୍ୟ ରହିଛି। ସୀମାରେ ଚୀନ୍ ଚ୍ୟାଲେଞ୍ଜର ମୁକାବିଲା କରିପାରିଲେ ଭାରତ ବିଶ୍ବଗୁରୁ ହୋଇପାରିବ ବୋଲି ସେ ତାଙ୍କ ଭାଷଣରେ କହିଥିଲେ। ସୂଚନାଯୋଗ୍ୟ, ଭାରତ-ଚୀନ୍‌ ସଂପର୍କ ମାମଲାରେ ପୂର୍ବରୁ ମଧ୍ୟ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଆସିଛନ୍ତି। ନିକଟରେ ସେ କହିଥିଲେ ଯେ ସୀମାକୁ ନେଇ ସରକାର ମିଛ କହୁଛନ୍ତି ଏବଂ ଦେଶର ସୁରକ୍ଷା ପାଇଁ କୌଣସି ବଳିଷ୍ଠ ପଦକ୍ଷେପ ମୋଦୀ ସରକାର ଗ୍ରହଣ କରିପାରୁନାହିଁ।

ସମ୍ବନ୍ଧିତ ଖବର