ନୂଆଦିଲ୍ଲୀ: ମୁସଲମାନମାନଙ୍କ ଉପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଭାରତୀୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଜାତୀୟ ତଥା ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୋଦୀଙ୍କ ମନ୍ତବ୍ୟ ଉପରେ ସିଏନ୍ଏନ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ସିଏନଏନ ହେଡଲାଇନରେ ପ୍ରକାଶ କରିଛି ଭାରତର ନିର୍ବାଚନରେ ବିଭାଜନ ଆହୁରି ଗଭୀର ହୋଇଛି କାରଣ ମୋଦୀଙ୍କ ମୁସଲମାନମାନଙ୍କ ଉପରେ ମନ୍ତବ୍ୟଘୃଣା ଭାଷଣ ନେଇ ଅଭିଯୋଗ ଆଣିଛି।
ଆମେରିକାର ଗଣମାଧ୍ୟମ ଲେଖିଛି ରବିବାର ଦିନ ଏକ ନିର୍ବାଚନ ରାଲିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମୋଫୋବିକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି। ଏହାସହ ଏହା ଦର୍ଶାଯାଇଛି ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ଅନେକ ସପ୍ତାହ ଧରି ଚାଲିବାକୁଥିବା ନିର୍ବାଚନ ଜାରି ରହିଛି। ଯେଉଁଥିରେ ମୋଦୀଙ୍କ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) କ୍ରମାଗତ ତୃତୀୟ ଥର କାର୍ଯ୍ୟକାଳ ହାତେଇବ ବୋଲି ଆଶା କରାଯାଉଛି।
ସିଏନ୍ଏନ୍ ଲେଖିଛି ରାଜସ୍ଥାନରେ ଏକ ଜନସମାଗମରେ ମୋଦୀ କହିଛନ୍ତି ଦେଶର ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ ଭୋଟ୍ ପାଇ କ୍ଷମତାକୁ ଆସିଲେ ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରିବ। ମୁସଲିମ ସମ୍ପ୍ରଦାୟର ନାମକୁ ସ୍ପଷ୍ଟ ଶବ୍ଦରେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପୁରୁଣା ଭାଷଣକୁ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ କହିଥିଲେ, ଦେଶର ସମ୍ବଳ ଉପରେ ମୁସଲମାନମାନଙ୍କର ପ୍ରଥମ ଅଧିକାର ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣକୁ ଉଦ୍ଧୃତ କରି ସିଏନ୍ଏନ୍ ଲେଖିଛି, ‘ଏହାପୂର୍ବରୁ ଯେତେବେଳେ ତାଙ୍କ ସରକାର କ୍ଷମତାରେ ଥିଲେ ସେତେବେଳେ ସେ କହିଥିଲେ ଯେ ଦେଶର ସମ୍ପତ୍ତି ଉପରେ ମୁସଲମାନମାନଙ୍କର ପ୍ରଥମ ଅଧିକାର ଅଛି। ଏହାର ଅର୍ଥ କେଉଁମାନେ ଏହି ସମ୍ପତ୍ତି ସଂଗ୍ରହ କରିବ ଏବଂ ଏହାକୁ କେଉଁମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଆପଣମାନଙ୍କର କଷ୍ଟ ଅର୍ଜିତ ଟଙ୍କା ଅନୁପ୍ରବେଶକାରୀଙ୍କୁ ଦିଆଯିବ କି?
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଭାରତରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ବିରୋଧୀ ତାଙ୍କ ଭାଷଣକୁ ଏକ ବଡ଼ ପ୍ରସଙ୍ଗ କରିଛନ୍ତି। ସିଏନ୍ଏନ୍ ଲେଖିଛି ବିରୋଧୀ ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ହିନ୍ଦୁ ଜାତୀୟତାର ବ୍ରାଣ୍ଡର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିଛନ୍ତି। ବିଜେପି ବିଭାଜନକାରୀ ଭାଷଣ ଦେଉଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି। ମୋଦୀଙ୍କ ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଛି କି ନାହିଁ ଯାଞ୍ଚ କରିବାକୁ ବିରୋଧୀ ଦଳ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଅନୁରୋଧ କରିଛନ୍ତି।
ସିଏନ୍ଏନ୍ ଲେଖିଛି ମୋଦୀଙ୍କ ମନ୍ତବ୍ୟ ଏକ ସମୟରେ ଆଲୋଡ଼ନ ସୃଷ୍ଟି କରିଛି ଯେଉଁ ସମୟରେ ଅନେକେ ଭୟ କରୁଛନ୍ତି ବିଜେପି ପାଇଁ ତୃତୀୟ କାର୍ଯ୍ୟକାଳ ଦେଶର ସାମ୍ପ୍ରଦାୟିକ ମତଭେଦକୁ ଆହୁରି ଗଭୀର କରିବ। ଏହା କୌଣସି ନିର୍ବୋଧତା ନୁହେଁ, ଏହା ଏକ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରାଯାଇଥିବା, ପ୍ରତ୍ୟକ୍ଷ, ଲଜ୍ଜାଜନକ ଘୃଣା ଭାଷଣ। ମୁସଲମାନ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ୍-ଇ-ଇଟେହାଦ୍-ଉଲ୍-ମୁସଲିମିନର ସଭାପତି ଅସଦୁଦ୍ଦିନ ଓୱାଇସି ଭାଷଣ ଆଧାରରେ ସିଏନ୍ଏନ୍ ରିପୋର୍ଟ କରିଛି ୨୦୦୨ ରୁ ଆଜି ପର୍ଯ୍ୟନ୍ତ ମୋଦୀଙ୍କ ଏକମାତ୍ର ଗ୍ୟାରେଣ୍ଟି ରହିଛି, ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରିବା ଏବଂ ଭୋଟ୍ ପାଇବା।
भारत देश के प्रधानमंत्री बोल रहे हैं...!#Rajasthan #LokSabhaElections2024 pic.twitter.com/wWj2s1OYip
— Avdhesh Pareek (@Zinda_Avdhesh) April 21, 2024
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖାର୍ଗେ ମୋଦୀଙ୍କ ମନ୍ତବ୍ୟକୁ ଘୃଣା ଭାଷଣ ଏବଂ ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି। ସିଏନ୍ଏନ୍ ଲେଖିଛି ଯେ, "ଗତ ଦଶନ୍ଧି ମଧ୍ୟରେ ମୋଦୀ ଏବଂ ତାଙ୍କ ବିଜେପି ହିନ୍ଦୁ ଜାତୀୟତାବାଦୀ ନୀତି ସହ ଧାର୍ମିକ ପୋଲାରାଇଜେସନ୍, ଇସଲାମୋଫୋବିଆର ଲହରୀ ସୃଷ୍ଟି କରିବା ସହ ବିଶ୍ବର ସର୍ବ ବୃହତ ଧର୍ମନିରପେକ୍ଷ ଗଣତନ୍ତ୍ରରେ ସାଂଘାତିକ ସାମ୍ପ୍ରଦାୟିକ ଅଭିଯୋଗ ଆଣିଛନ୍ତି। ଭାରତର ସଂଖ୍ୟାଲଘୁ ହେଉଛନ୍ତି ମୁସଲମାନ। ପ୍ରାୟ ୨୩କୋଟି ମୁସଲମାନ ଶତାବ୍ଦୀ ଧରି ଭାରତରେ ବାସ କରିଆସୁଛନ୍ତି, କିନ୍ତୁ କେତେକ ହିନ୍ଦୁ ଜାତୀୟତାବାଦୀ ମୁସଲମାନମାନଙ୍କୁ ବାହାର ଲୋକ ବୋଲି ମିଥ୍ୟା ଅଭିଯୋଗ କରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।
ଏଥିସହ ସିଏନ୍ଏନ୍ ଏହା ମଧ୍ୟ ଲେଖିଛି ଧର୍ମ ଆଧାରରେ ଭେଦଭାବ କରେ ନାହିଁ ଏବଂ ସମସ୍ତ ନାଗରିକଙ୍କୁ ସମାନ ବ୍ୟବହାର କରେ ବୋଲି ବିଜେପି ବାରମ୍ବାର କହିଛି। କିନ୍ତୁ ଅନୁସନ୍ଧାନ ରିପୋର୍ଟ ତଥା ଅଧିକାର ଗୋଷ୍ଠୀ କହୁଛନ୍ତି ୧.୪ ବିଲିୟନ ଲୋକଙ୍କ ଦେଶରେ ବିଭାଜନ ବୃଦ୍ଧି ପାଇଛି।
ୱାଶିଂଟନ୍ ଭିତ୍ତିକ ଅନୁସନ୍ଧାନ ଗୋଷ୍ଠୀ ଇଣ୍ଡିଆ ହେଟ୍ ଲ୍ୟାବର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ ମସିହାରେ ୬୬୮ ଟି ଘୃଣା ଭାଷଣ ମାମଲା ରେକର୍ଡ ହୋଇଥିବା ବେଳେ ମୁସଲମାନ ବିରୋଧୀ ଭାଷଣ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଏହି ମାମଲାଗୁଡ଼ିକର ୭୫ ପ୍ରତିଶତ ବିଜେପି ଶାସିତ ରାଜ୍ୟରେ ଘଟିଛି।