ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରି ସମ୍ପର୍କରେ ସୂଚନା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିବା ସିଆଇସି (ମୁଖ୍ୟ ସୂଚନା କମିସନର)ଙ୍କ ଆଦେଶକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ସଚିନ ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆର୍‌ଟିଆଇ ଆଇନର ଧାରା ୮(୧)(ଜେ) ଅନୁଯାୟୀ ଡିଗ୍ରି ଓ ମାର୍କ ସମେତ କୌଣସି ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ସୂଚନା ବ୍ୟକ୍ତିଗତ ସୂଚନା ପରିସରଭୁକ୍ତ। ଏଭଳି ସୂଚନା ଆର୍‌ଟିଆଇ ଆଇନର ଧାରା ୮(୧)(ଜେ) ଅନୁଯାୟୀ ପ୍ରକାଶରୁ ବିଶେଷ ଭାବେ ମୁକ୍ତ। ଖଣ୍ଡପୀଠ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ନିୟମାବଳି ଅନୁସାରେ ଛାତ୍ରଛାତ୍ରୀଙ୍କୁ ଫଳାଫଳ/ମାର୍କସିଟ୍ ପ୍ରଦାନ କରାଯାଇଥାଏ, ଜନସାଧାରଣଙ୍କୁ ନୁହେଁ। ଏହି ଢାଞ୍ଚା କୌଣସି ତୃତୀୟ ପକ୍ଷକୁ ମାର୍କ/ଗ୍ରେଡ୍ ପ୍ରକାଶ କରିବାକୁ ଅନୁମତି ଦିଏ ନାହିଁ। 

Advertisment

ଶୁଣାଣି ସମୟରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ, ଗୋପନୀୟତା ଅଧିକାର ପାଇଁ ସିଆଇସିଙ୍କ ଆଦେଶକୁ ବାତିଲ କରାଯିବା ଉଚିତ। ମେହେଟ୍ଟା କହିଥିଲେ ଯେ ବିଶ୍ୱବିଦ୍ୟାଳୟ ମୋଦୀଙ୍କ ଡିଗ୍ରି ସମ୍ବନ୍ଧୀୟ ରେକର୍ଡ ଅଦାଲତକୁ ଦେଖାଇପାରିବ କିନ୍ତୁ ଆର୍‌ଟିଆଇ ଆଇନ ଅନୁଯାୟୀ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଯାଞ୍ଚ ପାଇଁ ଏହା ପ୍ରକାଶ କରିପାରିବ ନାହିଁ। ନୀରଜ ନାମକ ଜଣେ ବ୍ୟକ୍ତିଙ୍କ ଆର୍‌ଟିଆଇ ଆବେଦନ ପରେ ସିଆଇସି ୨୦୧୬ ଡିସେମ୍ବର ୨୧ରେ ୧୯୭୮ରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ଅନୁମତି ଦେଇଥିଲେ। ସେହି ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୭ ଜାନୁଆରି ୨୩ରେ ହାଇକୋର୍ଟ ସିଆଇସିଙ୍କ ଆଦେଶ ଉପରେ ରୋକ୍ ଲଗାଇଥିଲେ।