ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସ୍ୱାଇ)ର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିକଶିତ ଭାରତର ସଂକଳ୍ପ ସହ ଏହି ଅଭିଯାନ ଆଗେଇ ଚାଲିଛି। ୫୦ ଦିନ ଭିତରେ ଏହି ଯାତ୍ରା ୨.୨୫ ଲକ୍ଷ ଗାଁରେ ପହଞ୍ଚିଛି। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା, ଯିଏ କୌଣସି କାରଣରୁ ଭାରତ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରୀ ଯୋଜନା ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ଏଥରେ କୌଣସି ଅନୁଗ୍ରହ କିମ୍ବା ଭେଦଭାବ ନାହିଁ। ଏଥିରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ ମୁଁ ଖୋଜୁଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦୀ କି ଗ୍ୟାରେଣ୍ଟି କି ଗାଡ଼ି ଯେଉଁ ସ୍ଥାନକୁ ଯାଉଛି, ତାହା ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକଙ୍କ ଆଶା ପୂରଣ କରୁଛି। ଭିବିଏସ୍ୱାଇ ସମୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଁ ୪.୫ ଲକ୍ଷ ନୂଆ ଆବେଦନ ଦାଖଲ କରାଯାଇଛି, ୧ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି, ୧.୨୫ କୋଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ୭୦ ଲକ୍ଷ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୫ ଲକ୍ଷ ସିକିଲସେଲ ରକ୍ତହୀନତା ପରୀକ୍ଷା କରାଯାଇଛି। ଏକା ସହିତ ଏବିଏଚ୍ଏ କାର୍ଡ ପ୍ରଦାନ କଲେ ହିତାଧିକାରୀ ମାନଙ୍କ ମେଡିକାଲ ରେକର୍ଡ ତିଆରି ହେବ ବୋଲି ସେ ସୂଚନା ଦେଇଛନ୍ତି।
ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ, ଭାରତ ସରକାର ଗ୍ରାମ ଗ୍ରାମରେ ମହିଳାମାନଙ୍କୁ ଆତ୍ମନିଯୁକ୍ତି ଦେବା ପାଇଁ ଏକ ବିରାଟ ଅଭିଯାନ ଚଳାଇଛନ୍ତି। ଗତ କିଛିବର୍ଷ ମଧ୍ୟରେ ଦେଶର ପ୍ରାୟ ୧୦ କୋଟି ଭଉଣୀ, ଝିଅ ଓ ଦିଦି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏହି ଭଉଣୀ ଓ ଝିଅମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାଢ଼େ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହି ଅଭିଯାନକୁ ଆହୁରି ବ୍ୟାପକ କରି ସେ ଆଗାମୀ ତିନିବର୍ଷ ମଧ୍ୟରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗ୍ରାମୀଣ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ।
କ୍ଷୁଦ୍ର କୃଷକମାନଙ୍କୁ ସଂଗଠିତ କରିବା ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏଫ୍ପିଓ ଏବଂ ପିଏସି ଭଳି ସମବାୟ ଉଦ୍ୟୋଗ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କ୍ଷୀର ଓ ଆଖୁ କ୍ଷେତ୍ରରେ ସମବାୟର ଲାଭ ଦେଖିଛୁ। ବର୍ତ୍ତମାନ ଏହାକୁ ଚାଷର ଅନ୍ୟାନ୍ୟ କ୍ଷେତ୍ର ଓ ମାଛ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉଛି। ଆଗାମୀ ଦିନରେ ୨ ଲକ୍ଷ ଗ୍ରାମରେ ନୂଆ ପ୍ୟାକ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଆମେ ଆଗକୁ ବଢ଼ୁଛୁ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ‘ଭୋକାଲ୍ ଫର୍ ଲୋକାଲ’କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।