ଗୁଜୁରାଟରେ ଶୁଭାରମ୍ଭ ହେଲା ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ

ଗାନ୍ଧିନଗର: ଗୁଜୁରାଟ ବିଧାନସଭା ର୍ନିବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପର ଶୁଭାରମ୍ଭ କରି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୋଟିଏ ମାସ ଭିତରେ ତୃତୀୟ ଥର ପାଇଁ ଆଜି ଗୁଜୁରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି, ଡ୍ରିମ୍‌ ପ୍ରୋଜେକ୍ଟ କୁହାଯାଉଥିବା ରୋଲଅନ୍‌ ରୋଲ୍‌ ଅଫ୍‌ ବା ରୋରୋ ଫେରି ସେବାର ଆରମ୍ଭ କରିଛନ୍ତି। ଘୋଘାରୁ ଦେହେଜ୍‌ ୩୦୦ କିଲୋମିଟର ଜଳପଥ ପାଇଁ ୬୧୫ କୋଟିର ପ୍ରକଳ୍ପର ଆରମ୍ଭ କରିଛନ୍ତି ମୋଦି। ଏହାକୁ ମୋଦି ନୂଆ ଭାରତ ତଥା ନୂଆ ଗୁଜୁରାଟ୍‌ ଗଠନର ଅଂଶ ବିଶେଷ ବୋଲି କହିବା ସହ ନୀଳ ଅର୍ଥନୀତି ଉପରେ ସରକାରଙ୍କ ଫୋକସ୍‌ ଥିବା କହିଛନ୍ତି।

ଏହି ସେବା ଦ୍ୱାରା ୩୦୦ କିଲୋମିଟର ରାସ୍ତାକୁ ୭ରୁ ୮ କିଲୋମିଟର ବଦଳରେ ଏଣିକି ମାତ୍ର ଘଣ୍ଟେରୁ ଦି ଘଣ୍ଟାରେ ଅତିକ୍ରମ କରି ହେବ ବୋଲି ମୋଦି କହିଛନ୍ତି। ଆଉ ଏହି ସେବା ଜନତାଙ୍କ ସମୟ ଏବଂ ସରକାରଙ୍କ ଟଙ୍କା ବଞ୍ଚାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୋ ସରକାର ସାଗର ମାଳା ପ୍ରକଳ୍ପରେ ବିଶ୍ୱାସ କରେ ଏବଂ ଯାହା ଏକ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଯୋଗାଯୋଗର ବିକାଶ ବିନା ଅର୍ଥନୀତିର ବିକାଶ ମନ୍ଥର। ତେଣୁ ଏହାକୁ ଦୃଷ୍ଟିରେ ରଖି ବନ୍ଦରଗୁଡ଼ିକର ବିକାଶ ଦିଗରେ ସରକାର ଧ୍ୟାନ ଦେଇଛନ୍ତି ବୋଲି ମୋଦି କହିଛନ୍ତି। ଏହା ସହ ମୋଦି ଆଜି ଗୁଜୁରାଟରେ ଦେଇଛନ୍ତି ପି ଫର୍‌ ପି ମନ୍ତ୍ର। ଅର୍ଥାତ ପୋର୍ଟ ଫର୍‌ ପସ୍ପରିଟି ବା ବନ୍ଦର ବିକାଶ ପାଇଁ।

ବିଧାନସଭା ର୍ନିବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ। ୟୁପିଏ ସରକାର ଥିବା ସମୟରେ ଗୁଜୁରାଟକୁ ଅବହେଳାର ଶିକାର ହେବାକୁ ପଡ଼ିଛି ବୋଲି ଆଜି ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁଁ ଅନେକ ବିକାଶ ପ୍ରକଳ୍ପର ଆଗେଇ ପାରିନଥିବା ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ଆଜି ମୋଦି କହିଛନ୍ତି।

କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ସହଯୋଗ କରିନଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଜାଣିଶୁଣି ଅଟକାଯାଇଥିଲା। ୨୦୧୪ରେ କିନ୍ତୁ ଏହି ସ୍ଥିତି ବଦଳିଯାଇଥିଲା। ବର୍ତ୍ତମାନ ରାଜ୍ୟର ସବୁ ପ୍ରକଳ୍ପ ଓ ଉନ୍ନୟନ କାମ ଠିକ ବାଟରେ ଚାଲିଛି। ଗତ ୩ ବର୍ଷ ମଧ୍ୟରେ ଗୁଜରାଟକୁ ଉଚିତ ଧ୍ୟାନ ଦିଆଯାଉଛି। ଗୁଜରାଟ ଗୌରବ ରାଲିରେ ଭାଗନେଇ ସେ ଏହି ଅଭିଯୋଗ ଆଣିଛନ୍ତି। ଚଳିତବର୍ଷ ଶେଷରେ ଗୁଜରାଟରେ ବିଧାନସଭା ର୍ନିବାଚନ ହେବ। ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ଘରୋଇ ରାଜ୍ୟ ଗୁଜରାଟରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ ଥିବା ବିଜେପି ପାଇଁ ଏହି ର୍ନିବାଚନ ଚ୍ୟାଲେଞ୍ଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ମୋଦି ଏବଂ ଶାହା ଯୋଡ଼ିଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ ଏବଂ ପ୍ରମୁଖ ଦଳ ଗୁଡ଼ିକ ଏକାଠି ହୋଇଛନ୍ତି।

ସମ୍ବନ୍ଧିତ ଖବର