ଲୋକସଭାରେ ହଟ୍ଟଗୋଳ, ରାଜ୍ୟସଭାରେ ଉତ୍ତେଜକ ବିତର୍କ
ସଂସଦ ସୋମବାର ପର୍ଯ୍ୟନ୍ତ ମୁଲତବୀ

Advertisment

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୭୨ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜଟିଳ ରୂପ ନେଉଛି। ସଂସଦରେ ମଧ୍ୟ ଏହି ପ୍ରସଙ୍ଗରେ ଅଚଳାବସ୍ଥା ଜାରି ରହିଛି। ଏହି ସଙ୍କଟର ସମାଧାନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ କ୍ୟାବିନେଟ୍‌ ସହଯୋଗୀଙ୍କ ସହିତ ଏକ ଜରୁରୀ ବୈଠକ କରିଛନ୍ତି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିଲେ।

ଶୁକ୍ରବାର ସଂସଦରେ ବିରୋଧୀ ଦଳମାନେ ଏକସ୍ବରରେ ନୂଆ ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା ସହ ସରକାରଙ୍କୁ ଘେରିଥିଲେ। ଗୃହରେ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଲଗାତାର ବିରୋଧ ଜାରି ରଖିବାରୁ ଶୁକ୍ରବାର ମଧ୍ୟ ସ୍ବାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଏବଂ ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଟିଏମ୍‌ସି ସାଂସଦମାନେ ହଙ୍ଗାମା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଆସନ୍ତା ସୋମବାର ଦିନ ସଂସଦରେ ତାଙ୍କର ବକ୍ତବ୍ୟ ରଖିବାକୁ ଥିବା ବେଳେ ଏହା ଉପରେ ସମଗ୍ର ଦେଶର ନଜର ରହିଛି।