ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନକୁ ଉଦ୍ଘାଟନ କରିବା ପରେ ଏହି ଭବନରେ ତାଙ୍କର ପ୍ରଥମ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିକାଶ ଯାତ୍ରା ଅବ୍ୟାହତ ରହିଛି। ଏହି ଯାତ୍ରାରେ କିଛି ଘଟଣା ଚିରସ୍ମରଣୀୟ ହୋଇ ରହିଯାଏ। ସେଥିମଧ୍ୟରୁ ମେ ୨୮ ହେଉଛି ଅନ୍ୟତମ। ମୋଦୀ କହିଛନ୍ତି, ନୂତନ ସଂସଦ ଭବନ ଏକ କୋଠା ମାତ୍ର ନୁହେଁ, ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତୀକ। ଏହା ସାରା ବିଶ୍ବକୁ ଭାରତର ପ୍ରତିବଦ୍ଧତାର ବାର୍ତ୍ତା ଦେଉଛି। ଏହି ଭବନ ଆତ୍ମନିର୍ଭର ଭାରତର ସାକ୍ଷୀ ରହିବ। ଏହା ଆତ୍ମନିର୍ଭର ଭାରତର ଉଷାକାଳର ପ୍ରମାଣ। ଏହା ବିକଶିତ ଭାରତ ଆଡ଼କୁ ଆମ ଯାତ୍ରାର ସାକ୍ଷୀ ରହିବ। ନୂତନ ସଂସଦ ଭବନରେ ମୋଦୀଙ୍କର ଏହି ପ୍ରଥମ ଭାଷଣ ସମୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ରେଡ୍ଡୀ, ଯୋଗୀ ଆଦିତ୍ୟନାଥ, ଏକନାଥ ସିନ୍ଦେ ଓ ନିଫୁ ରିଓ, ଅନେକ ବିଦେଶୀ ରାଷ୍ଟ୍ରଦୂତ, ସାଂସଦ ଗଣ ତଥା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ମେ ୨୮ ଭାରତ ଇତିହାସରେ ଚିରସ୍ମରଣୀୟ ରହିବ
ମୋଦୀ କହିଥିଲେ, ବିଦେଶୀ ଶାସକ ଆମଠାରୁ ଆମର ଗର୍ବ ଓ ଗୌରବକୁ ଚୋରାଇ ନେଇଥିଲେ। ଆଜି ଭାରତ ସେହି ଉପନିବେଶୀୟ ମାନସିକତାକୁ ପଛରେ ଛାଡ଼ିଦେଇଛି। ତାମିଲନାଡ଼ୁରୁ ଆସିଥିବା ଐତିହାସିକ ସେଙ୍ଗୋଲ ଉପରେ ମତ ଦେଇ ମୋଦୀ କହିଛନ୍ତି, ଆଜି ଏହା ନୂତନ ସଂସଦ ଭବନରେ ସ୍ଥାପିତ ହୋଇଛି। ଚୋଳ ସାମ୍ରାଜ୍ୟର ଶାସନ ସମୟରେ ଏହା (ସେଙ୍ଗୋଲ)କୁ କର୍ତ୍ତବ୍ୟପଥ, ସେବାପଥ ଓ ରାଷ୍ଟ୍ରପଥର ପ୍ରତୀକ ଭାବେ ବିଚାର କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ ସଂସଦ ଭବନ ସାରା ବିଶ୍ବକୁ ଭାରତର ପ୍ରତିବଦ୍ଧତାର ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି। ଭାରତର ଗଣତନ୍ତ୍ର ହେଉଛି ଏହାର ପ୍ରେରଣା, ସମ୍ବିଧାନ ହେଉଛି ଏହାର ସଂକଳ୍ପ ଏବଂ ସଂସଦ ହେଉଛି ଏହାର ପ୍ରେରଣା ଓ ସଂକଳ୍ପର ସର୍ବୋତ୍ତମ ପ୍ରତିନିଧି। ନୂତନ ସଂସଦ ଭବନ ହେଉଛି ପୁରାତନ ଓ ନୂତନର ସର୍ବୋତ୍କୃଷ୍ଟ ସହାବସ୍ଥାନର ଉଦାହରଣ। ଏଥି ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନୂତନ ସଂସଦ ଭବନ ଉଦ୍ଘାଟନ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବାର୍ତ୍ତା ପଠନ କରିଥିଲେ।
ରାଷ୍ଟ୍ରପତିଙ୍କ ବାର୍ତ୍ତା, ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସିବ୍ୟକ୍ତ କରିଛନ୍ତି। ଭାରତର ଗଣତନ୍ତ୍ରର ଯାତ୍ରାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭବନ ଉଦ୍ଘାଟନକୁ ରାଷ୍ଟ୍ରପତି ସ୍ବାଗତ କରିଛନ୍ତି। ସାରା ଦେଶ ପାଇଁ ଏହା ଅତ୍ୟନ୍ତ ଖୁସି ଏବଂ ଗର୍ବର ମୁହୂର୍ତ୍ତ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବାର୍ତ୍ତାକୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପାଠ କରିଥିଲେ। ଏଥିସହିତ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ନୂଆ ସଂସଦ ଭବନ ଉଦ୍ଘାଟନ ଦେଶର ଇତିହାସରେ ସ୍ବର୍ଣ୍ଣିମ ଶବ୍ଦରେ ଲିପିବଦ୍ଧ ହୋଇ ରହିବ। ସଂସଦ ଦେଶ ପାଇଁ ଆଲୋକ ବର୍ତ୍ତିକା। ଦେଶର ଗଣତାନ୍ତ୍ରିକ ଯାତ୍ରାରେ ନୂଆ ସଂସଦ ଭବନ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ରାଷ୍ଟ୍ରପତି କହିଛନ୍ତି।