ଧାରା ୩୭୦ ଉଚ୍ଛେଦ ପରେ ମୋଦୀଙ୍କ ପ୍ରଥମ କାଶ୍ମୀର ଗସ୍ତ: ୨୦ ହଜାର କୋଟିର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ପଞ୍ଚାୟତ ଅବା ପାର୍ଲାମେଣ୍ଟ: କୌଣସି କାମ ଛୋଟ ନୁହେଁ: ମୋଦୀ

କାଶ୍ମୀର: ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହି ଧାରାକୁ ଉଚ୍ଛେଦ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବପିଢ଼ି ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ଯୁବକମାନେ ସେସବୁର ସାମ୍ନା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସେଠାରୁ ଦେଶର ଗ୍ରାମ ସଭାଗୁଡ଼ିକୁ ସମ୍ବୋଧନ କରିଛନ୍ତି। ଜମ୍ମୁ ଡିଭିଜନ ଅନ୍ତର୍ଗତ ସାମ୍ବା ଜିଲ୍ଲାର ପଲ୍ଲୀ ପଞ୍ଚାୟତରୁ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତର ଗଣତନ୍ତ୍ରରେ ପଞ୍ଚାୟତ ଗୁଡ଼ିକର ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି। ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଆପଣମାନେ ନିଜ ନଜ ଅମଳରେ ଏଭଳି ଭଲ କାମ କରନ୍ତୁ ଯେ ଭବିଷ୍ୟତ ପିଢ଼ି ଆପଣମାନଙ୍କୁ ସବୁଦିନ ମନେ ରଖିବେ। ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବା ସହିତ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୮୫୦ ମେଗାୱାଟର ରାଟଲ୍ ଜଳବିଦ୍ୟୁତ୍ ପ୍ରକଳ୍ପ, ୫୪୦ ମେଗାୱାଟର କ୍ବାର ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିସ୍ତୱାରା ଜିଲ୍ଲାରେ ଚେନାବ ନଦୀରେ ଏହି ପ୍ରକଳ୍ପ ହେବ। ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବାଣୀହାଲ-କ୍ବାଜିଗଣ୍ଡ ରୋଡ ଟ‌ନେଲ୍‌ର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ କହିଛନ୍ତି। ୮.୪୫ କିମି ବିଶିଷ୍ଟ ଏହି ଟନେଲ ନିର୍ମାଣ ଦ୍ବାରା ବାଣୀହାଲ୍ ଏବଂ କ୍ବାଜିଗଣ୍ଡ ମଧ୍ୟରେ ଦୂରତା ୧୬ କିମି ଏବଂ ଯାତ୍ରା ସମୟ ପ୍ରାୟ ଦେଢ଼ ଘଣ୍ଟା କମିଯିବ। ଏଥିସହିତ ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଅମୃତସର-କାଟରା ଏକ୍ସପ୍ରେସୱେର ଶିଳାନ୍ୟାସ କରିଛନ୍ତି। ସାମ୍ବାର ପଲ୍ଲୀ ଗ୍ରାମରେ ୫୦୦ ମେଗାୱାଟର ସୌର ଶକ୍ତି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଜମ୍ମୁ କାଶ୍ମୀରରେ ପଞ୍ଚାୟତିରାଜ ଦିବସ ପାଳନ ହେବା ନୂଆ ବିକାଶର ସଙ୍କେତ ଦେଉଛି। ଗଣତନ୍ତ୍ର ତୃଣମୂଳ ସ୍ତରରେ ପହଞ୍ଚିଛି। ପଞ୍ଚାୟତ ହେଉ ଅବା ସଂସଦ, କୌଣସି କାମ ଛୋଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବହୁବର୍ଷ ଧରି ଜମ୍ମୁ କାଶ୍ମୀରର ଲୋକମାନେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରୁ ବଞ୍ଚିତ ଥିଲେ। ଲୋକଙ୍କୁ ସଶକ୍ତ କରିବା ପାଇଁ ଜମ୍ମୁ କାଶ୍ମୀରେ ଆମେ ସବୁ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରିଛୁ। ଏଠାରେ ପର୍ଯ୍ୟଟନ ଶିଳ୍ପ ପୁନର୍ବାର ଚଳଚଞ୍ଚଳ ହୋଇଛି। ଗ୍ରାମ ପଞ୍ଚାୟତ ସ୍ତରରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର