ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିର ଅଭୂତପୂର୍ବ ସଫଳତା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ସମସ୍ତ ୨୧ ଦଳୀୟ ସାଂସଦ (୨୦ ଲୋକସଭା ଓ ଜଣେ ରାଜ୍ୟସଭା)ଙ୍କ ସହିତ ନୂଆ ସଂସଦ ଭବନର ସଂଗୋଷ୍ଠୀ-୨ ହଲରେ ଆଲୋଚନା କରିଥିଲେ। ପାଖାପାଖି ୫୦ମିନିଟ ଧରି ଏହି ଆଲୋଚନା ହୋଇଥିଲା। ଓଡ଼ିଶାର ସାମଗ୍ରିକ ବିକାଶ ସହିତ ଦଳ କିଭଳି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନରେ ରହିବ ସେ ନେଇ ସାଂସଦମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ।

Advertisment

ଆଲୋଚନା ବେଳେ ଦଳୀୟ ସଂଗଠନକୁ ମଜଭୁତ କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଥିଲେ। ଏହା ସହ ସଂସଦୀୟ ‌କ୍ଷେତ୍ରର ବିକାଶ, ତୃଣମୂଳସ୍ତରରୁ ଲୋକମାନଙ୍କ ସହିତ ସଂଯୋଗ ସ୍ଥାପନ, ସେମାନଙ୍କ ଆପତ୍ତି ଅଭିଯୋଗର ତ୍ବରିତ ସମାଧାନ, ସରକାରୀ ଯୋଜନା କିଭଳି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ତତ୍ପରତା ପ୍ରଦର୍ଶନ କରିବା ପାଇଁ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ। ଟିଫିନ୍‌ ବୈଠକ ଜରିଆରେ ପ୍ରତ୍ୟେକ ଗାଁକୁ ଫୋକସ୍‌ରେ ରଖିବା, ବୁଦ୍ଧିଜୀବୀ ଓ ସମାଜସେବୀଙ୍କୁ ସଂଗଠନରେ ପ୍ରାଥମିକତା, ବିରୋଧୀଙ୍କ ସରକାରୀ ବିରୋଧୀ ପ୍ରଚାର ତଥା ଅପଚେଷ୍ଟାକୁ ରୋକିବା ଲାଗି ସାଂସଦମାନେ ସୋସିଆଲ୍‌ ମିଡିଆରେ ସକ୍ରିୟ ରହିବା ପାଇଁ ମୋଦୀ ପରାମର୍ଶ ଦେଇଥିଲେ। ଗତ ଲୋକସଭା ନିର୍ବାଚନରେ ରାଜ୍ୟୱାରୀ ନିର୍ବାଚିତ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଅଧିବେଶନରେ ପର୍ଯ୍ୟାୟକ୍ରମେ ସାକ୍ଷାତ କରି ଗୁରୁମନ୍ତ୍ର ଦେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ଦଳୀୟ ସାଂସଦମାନଙ୍କ ସହିତ ଆଲୋଚନା କରିଥିଲେ।