ନୂଆଦିଲ୍ଲୀ: ଜନସାଧାରଣ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିଛନ୍ତି। ଏଣୁ ମୋଦୀଜୀ ସେମାନଙ୍କ ଉପରେ ବିଶ୍ୱାସ ରଖି ଅର୍ଥନୀତିର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସେମାନଙ୍କ ହାତରେ ଟଙ୍କା ଦେବାକୁ ଚାହୁଛନ୍ତି। ଉଭୟ ରୋଜଗାର ଓ ଖର୍ଚ୍ଚ ଉପରେ ଟିକସରେ ରିହାତି ମଧ୍ୟବିତ୍ତଙ୍କ ହାତରେ ଅଧିକ ଟଙ୍କା ରହିବା ସୁଯୋଗ ଦେବ, ଯାହାଫଳରେ କିଣାବିକା ବଜାର ଅଧିକ ଚଳଚଞ୍ଚଳ ହେବ। ବଡ଼ କର୍ପୋରେଟରମାନେ ମୋଦୀଙ୍କୁ ବିଫଳ ଓ ନିରାଶ କରିବା ପରେ ଅଭିବୃଦ୍ଧି ବଢ଼ାଇବା ପାଇଁ ସେ ଲୋକଙ୍କ ଉପରେ ଭରସା କରୁଥିବା କୁହାଯାଉଛି। 

Advertisment

ରବିବାର ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଜିଏସ୍‌ଟି ସଂସ୍କାର ଗରିବ, ନବ-ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀକୁ ସାହାଯ୍ୟ କରିବ। ୨୦୨୫-୨୬ ବଜେଟ୍‌ରେ ଆୟକର ରିହାତି ଘୋଷଣା ହୋଇଥିଲା। ଏବେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ହାରକୁ ନ୍ୟାୟପୂର୍ଣ୍ଣ କରାଯାଇଛି। ଉଭୟ ଆୟକର ଓ ଜିଏସ୍‌ଟି ରିହାତି ଭାରତର ମଧ୍ୟବିତ୍ତଙ୍କ ବ୍ୟୟଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଘରୋଇ ଉପଭୋଗ ହେଉଛି ଭାରତର ଅର୍ଥନୀତିର ମୁଖ୍ୟ ଚାଳକ। ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ଦେଶର ଜିଡିପିର ୬୧.୪% ଥିଲା।

ମୋଦୀ କହିଥି‌େଲ ଯେ, ସରକାରଙ୍କ ଦୁଇଟି ନିଷ୍ପତ୍ତି - ଆୟକର ରିହାତି ଓ ଜିଏସ୍‌ଟି ସଂସ୍କାର ଦେଶର ଲୋକଙ୍କୁ ଗୋଟିଏ ବର୍ଷରେ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିବ। ତେବେ ମଧ୍ୟବିତ୍ତଙ୍କ ଉପରେ ସରକାରଙ୍କ ଆସ୍ଥା ବୃଦ୍ଧି ପାଉଛି, କାରଣ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହେଉଛନ୍ତି, ୨୦୧୯ରେ ଦିଆଯାଇଥିବା ବଡ଼ ଟିକସ ଛାଡ଼ ପରେ ବଡ଼ କର୍ପୋରେଟମାନେ ଏହାର ସଦୁପଯୋଗ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହେବା ପରେ ଏହା ଆସିଛି।

୨୦୧୯ ସେପ୍ଟେମ୍ବରରେ ମୋଦୀ ସରକାର ମୂଳ କର୍ପୋରେଟ୍ ଟିକସକୁ ୩୦%ରୁ ୨୨%କୁ ହ୍ରାସ କରି ଶିଳ୍ପ ଓ ଉପଭୋଗକୁ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ। ସରକାର ଭାବିଥିଲେ ଯେ ଏହି ସଞ୍ଚୟକୁ କମ୍ପାନିଗୁଡ଼ିକ କ୍ଷମତା ବୃଦ୍ଧିରେ ବ୍ୟବହାର କରିବେ ଏବଂ ଫଳସ୍ୱରୂପ ନିଯୁକ୍ତି ସୃଷ୍ଟି ହେବ ଓ ବେତନ ବୃଦ୍ଧି ଘଟିବ। ସେମାନେ ଟିକସ ଛାଡ଼ରୁ ପାଇଥିବା ଲାଭକୁ ନିଜ ପକେଟ୍‌‌ ରଖି ଚୁପ୍ ରହିଲେ। କର୍ପୋରେଟମାନଙ୍କୁ ଦିଆଯାଇଥିବା ଟିକସଛାଡ଼ ଯୋଗୁ ଦୁଇଟି ଆର୍ଥିକ ବର୍ଷରେ (୨୦୧୯-୨୦ ଓ ୨୦୨୦-୨୧) ସରକାର ୧.୮୪ ଲକ୍ଷ କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି, ଯାହା ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇ ନାହିଁ। କେବଳ ସେତିକି ନୁହେଁ, କର୍ପୋରେଟମାନେ ଘରୋଇ ବ୍ୟକ୍ତିଙ୍କ ତୁଳନାରେ କମ୍ ଟିକସ ଦେଉଥିଲେ। ୨୦୨୨-୨୩ ଓ ପରବର୍ତ୍ତୀ ବର୍ଷ ମଧ୍ୟ ଏହି ଧାରା ଜାରି ରହିଥିଲା। ୨୦୨୩-୨୪ରେ ବ୍ୟକ୍ତିଗତ ଆୟକର ସଂଗ୍ରହ ୧୦.୪୪ ଲକ୍ଷ କୋଟି ଟଙ୍କା ଥିବାବେଳେ କର୍ପୋରେଟ୍ ଟିକସ ସଂଗ୍ରହ ୯.୧୧ ଲକ୍ଷ କୋଟି ଟଙ୍କା ଥିଲା। କର୍ପୋରେଟରଙ୍କ ବିଶ୍ବାସଘାତକତା ପରେ ମୋଦୀ ଏବେ ମଧ୍ୟବିତ୍ତଙ୍କ ଉପରେ ଭରସା କରୁଛନ୍ତି। ସରକାର କର୍ପୋରେଟମାନଙ୍କୁ ରିଲିଫ୍ ମାଧ୍ୟମରେ ପରୋକ୍ଷରେ ଚାହିଦା ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାହା କାମ କଲା ନାହିଁ। ଏବେ ମଧ୍ୟବିତ୍ତଙ୍କ ଉପରେ ମୋଦୀ ଭରସା କରିଛନ୍ତି।