ଜଳ ସଂରକ୍ଷଣକୁ ମୋଦୀଙ୍କ ଗୁରୁତ୍ବ

ଆତ୍ମନିର୍ଭର ଭାରତ ଏକ ଜାତୀୟ ଭାବାବେଗ
ବିଶ୍ବର ଅନ୍ୟତମ ପ୍ରାଚୀନ ଭାଷା ତାମିଲ ଶିଖି ପାରିନଥିବାରୁ ଦୁଃଖ ପ୍ରକାଶ କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ ଖୁବ୍‌ ଶୀଘ୍ର ଜଳ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ଏହା ଉପରେ ପର୍ଯ୍ୟବସିତ ‘କ୍ୟାଚ୍‌ ଦି ରେନ୍‌’ ନାମକ ଏକ ଯୋଜନା ଆରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି, ବର୍ଷାଜଳ ଯୋଉଠି ପଡୁ କି ଯେତେବେଳେ ବି ପଡୁ , ତାହାକୁ ଆମେ ସଂଗ୍ରହ କରିବା। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଆମ ଦେଶର ଅଧିକାଂଶ ଅଞ୍ଚଳରେ ମେ-ଜୁନ୍‌ ମାସରେ ସାଧାରଣତଃ ବର୍ଷା ଆରମ୍ଭ ହୋଇଥାଏ। ତେଣୁ ଜଳ ସଂରକ୍ଷଣ ପାଇଁ ଆମେ ଏବେଠାରୁ ଏକ ଶହେ ଦିନିଆ ବର୍ଷାଜଳ ଅମଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ଆହ୍ବାନ କରିଛନ୍ତି।

ସେହିପରି ଦେଶର ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଲାଗି ସେ ସ୍ବଦେଶ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଦେଶବାସୀ ଯେତେବେଳେ ଦେଶୀ ସାମଗ୍ରୀ ବ୍ୟବହାର କରିବାରେ ଗର୍ବ ଅନୁଭବ କରିବେ, ସେତେବେଳେ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଏକ ଆର୍ଥିକ କାର୍ଯ୍ୟକ୍ରମ କି ସରକାରୀ ନୀତିରେ ସୀମିତ ନରହି ଜାତୀୟ ଭାବାବେଗରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ସେହିପରି ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ ବିଜ୍ଞାନର ଭୂମିକାକୁ ସେ ଶ୍ରେୟ ଦେଇଛନ୍ତି। ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ ବିଶ୍ବର ଅନ୍ୟତମ ପ୍ରାଚୀନ ଭାଷା ତାମିଲ ଶିଖିପାରିନାହାନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି। ଅପରପକ୍ଷେ, ବିଶ୍ବର ସଂଖ୍ୟାଧିକ ରାଷ୍ଟ୍ରକୁ ଆମ ଦେଶରେ ପ୍ରସ୍ତୁତ କୋଭିଡ୍‌ ଟିକାର ୫୬ ଲକ୍ଷ ମାତ୍ରା ଅନୁଦାନ ହିସାବରେ ଏବଂ ଏକ କୋଟି ମାତ୍ରା ବ୍ୟାବସାୟିକ ଭିତ୍ତିରେ ଯୋଗାଇ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର