ତୃତୀୟ ଲହର ପାଇଁ ପ୍ରସ୍ତୁତି: ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଅକ୍ସିଜେନ୍‌ ସ୍ଥିତି ନେଇ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହର ଖୁବ୍‌ ଶୀଘ୍ର ଆସିଯିବ। ଏନେଇ ବିଶେଷଜ୍ଞମାନେ ଚେତାଇ ସାରିଛନ୍ତି। ତେଣୁ ତୃତୀୟ ଲହରକୁ ଦୃଷ୍ଟି‌ରେ ରଖି ଦେଶ ପ୍ରସ୍ତୁତ ହେଉଛି। ଦ୍ବିତୀୟ ଲହର ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଦ୍ବିତୀୟ ଲହରରେ ଉତ୍କଟ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଛି। ତେଣୁ ତୃତୀୟ ଲହରର ସଠିକ୍‌ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶରେ ମେଡିକାଲ ଅକ୍ସିଜେନ୍‌ର ଉପଲବ୍ଧତା ଏବଂ ଉତ୍ପାଦନ ସଂକ୍ରାନ୍ତ ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶରେ ୧୫୦୦ରୁ ଅଧିକ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପ୍ରସ୍ତୁତ ହେଉଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲେ ୪ ଲକ୍ଷରୁ ଅଧିକ ଅକ୍ସିଜେନ୍‌ ବେଡ୍‌ ଉପଲବ୍ଧ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୈଠକରେ ଅବଗତ କରାଯଇଛି।

ଦେଶରେ ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସଂକ୍ରାନ୍ତରେ ଅବଗତ ହେବାପରେ ମୋଦୀ ତୁରନ୍ତ ଏହି ପ୍ଲାଣ୍ଟ୍‌ଗୁଡ଼ିକ କାର୍ଯ୍ୟକ୍ଷମ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାଳରଙ୍କ ସହ ସହଯୋଗ ରକ୍ଷା କରି ତୁରନ୍ତ ଏହି ପ୍ଲାଣ୍ଟ୍‌ ଗୁଡ଼ିକ କାର୍ଯ୍ୟକାରୀ କରିବାପାଇଁ ମୋଦୀ କହିଛନ୍ତି। ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ପରିଚାଳନା ଏବଂ ମେଣ୍ଟେନାନ୍ସ ପାଇଁ ତାଲିମପ୍ରାପ୍ତ ବ୍ୟକ୍ତି ଉପଲବ୍ଧ ଅଛନ୍ତି କି ନା’ ତା’ ଉପରେ ମଧ୍ୟ ମୋଦୀ ପ୍ରାଧାନ୍ୟ ଦେଇଛନ୍ତି। ଏହି ପ୍ଲାଣ୍ଟ୍‌ ଗୁଡ଼ିକ କିଭଳି କାର୍ଯ୍ୟ କରୁଛି ତାହା ତଦାରଖ କରିବାପାଇଁ ଆଡଭାନ୍ସ ଟେକ୍‌ନୋଲୋଜି ବ୍ୟବହାର କରିବାକୁ ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ୮ ହଜାର ଲୋକଙ୍କୁ ଏନେଇ ତାଲିମ ଦିଆଯାଉଛି। ଆଜିର ବୈଠକ‌ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍‌ ସଚିବ, ସ୍ବାସ୍ଥ୍ୟ ସଚିବ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର