ଜି-୭ ସମ୍ମିଳନୀରେ ମୋଦୀଙ୍କ ଉଦ୍‌ବୋଧନ: ଗରିବ ଦେଶ ପରିବେଶର ବେଶି କ୍ଷତି କରୁଥିବା ଧାରଣା ଭୁଲ

ମ୍ୟୁନିକ: ଭାରତ ଅନେକ ଶତାବ୍ଦୀର ଦାସତ୍ବ ସହ୍ୟ କରିଛି। ବର୍ତ୍ତମାନ ସ୍ବାଧୀନ ଭାରତ ବିଶ୍ବର ଦ୍ରୁତତମ ବିକାଶଶୀଳ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଯଦିଓ ବିଶ୍ବର ୧୭ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି, ତଥାପି ବିଶ୍ବ ଅଙ୍ଗାରକ-ନିର୍ଗମନରେ ଏହାର ଅବଦାନ ମାତ୍ର ୫ ପ୍ରତିଶତ। ଗରିବ ଦେଶମାନେ ପରିବେଶର ବେଶି କ୍ଷତି କରନ୍ତି ବୋଲି ଏକ ଭୁଲ ଧାରଣା ରହିଛି। କିନ୍ତୁ ଭାରତର ୧୦୦୦ ବର୍ଷର ଇତିହାସ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି। ପ୍ରାଚୀନ ଭାରତ ସମୃଦ୍ଧ ଭାରତ ଥିଲା ବୋଲି ଜର୍ମାନୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି। ଭାରତର ଜଳବାୟୁ ପ୍ରତିବଦ୍ଧତା ଏହାର ପ୍ରଦର୍ଶନରୁ ପ୍ରତିଭାତ । ସମ୍ମିଳନୀର ଜଳବାୟୁ, ଶକ୍ତି ଓ ସ୍ବାସ୍ଥ୍ୟ ସତ୍ରରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ୯ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଉତ୍ସରୁ ଶକ୍ତିସଂଗ୍ରହର ୪୦ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛି। ଭାରତରେ କ୍ଳିନ୍ ଏନର୍ଜି (ସବୁଜ ଶକ୍ତି) ପ୍ରଯୁକ୍ତିର ବିକାଶ ଘଟୁଛି ଏବଂ ଜି-୭ ଦେଶଗୁଡ଼ିକ ଭାରତର ଏହି ପ୍ରଚେଷ୍ଟାକୁ ସମର୍ଥନ କରିବେ ବୋଲି ସେ ଆଶା କରନ୍ତି। ଭାରତରେ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଳିତ ବିମାନବନ୍ଦର ରହିଛି। ଭାରତର ବିଶାଳ ରେଳପଥ ବ୍ୟବସ୍ଥା ଏହି ଦଶନ୍ଧିରେ ନେଟ୍‌ ଜିରୋ (ଶୂନ୍ୟ ଅଙ୍ଗାରକ-ନିର୍ଗମନକାରୀ) ହେବ ବୋଲି ମୋଦୀ କହିଥିଲେ।

ଜର୍ମାନ ଚାନ୍‌ସେଲର ଓଲାଫ ସ୍କଲ୍‌ଜ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ବର ୭ ଧନୀ ରାଷ୍ଟ୍ରର ନେତାମାନେ ଉପସ୍ଥିତ ରହି ରୁଷିଆର ୟୁକ୍ରେନ୍ ଆକ୍ରମଣ, ଖାଦ୍ୟ ନିରାପତ୍ତା ଓ ଆତଙ୍କବାଦ-ମୁକାବିଲା ଆଦି ସାମ୍ପ୍ରତିକ ବିଶ୍ବ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ରୁଷିଆ କୃଷ୍ଣସାଗରର ୟୁକ୍ରେନୀୟ ବନ୍ଦରଗୁଡ଼ିକରୁ କୃଷିଜାତ ସାମଗ୍ରୀଗୁଡ଼ିକର ଅବାଧ ରପ୍ତାନି ଲାଗି ଅନୁମତି ଦେଉ ବୋଲି ଜି-୭ ନେତାମାନେ ମତ ଦେଇଛନ୍ତି। ୨୦୨୨ରେ ୟୁକ୍ରେନ୍‌କୁ ୨୯.୫ ନିୟୁତ ଡଲାର ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଦିଆଯିବା ଲାଗି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର