ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’କୁ ନେଇ ସରକାର ଘନ ଘନ ବୈଠକ କରୁଛନ୍ତି। ଆଜି ସକାଳେ କେନ୍ଦ୍ର ସରକାର ଅପରେସନ୍ ସିନ୍ଦୂରକୁ ନେଇ ଏକ ସର୍ବଦଳୀୟ ବୈଠକ କରି ରାଜନେତାମାନଙ୍କୁ ପୂରା ଅପରେସନ୍ ସଂକ୍ରାନ୍ତରେ ବିସ୍ତୃତ ଅବଗତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଏସ୍ଏ ଅଜିତ ଡୋଭଲ, ସିଡିଏସ୍ ଅନିଲ ଚୌହାନ, ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରିତ ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
ସେନା ମୁଖ୍ୟ ଜେନେରାଲ୍ ଦ୍ବିବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ବାସଭବନରେ ଭେଟିଛନ୍ତି। ପାକିସ୍ତାନ ବିରୋଧରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସେନା ମୁଖ୍ୟ ପ୍ରଥମ ଥର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ‘ଅପରେସନ୍ ସିନ୍ଦୂର’ ପରେ ପଶ୍ଚିମ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ଡୋଭଲ୍ ଆଜି ମୋଦୀଙ୍କୁ ଅବଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ଡୋଭଲଙ୍କ ପରେ କେନ୍ଦ୍ର ଗୃହ ସଚିବ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ଏବଂ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଥିଲେ। ପଶ୍ଚିମ ସୀମାରେ ଭାରତୀୟ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସଜାଗ ରହିଥିବା ବୈଠକରେ ଅବଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/09/k02CbhwUwt8j5r3Y95C7.jpg)