ବିଜେପି ସାଂସଦଙ୍କୁ ମୋଦୀଙ୍କ ମନ୍ତ୍ର, କଂଗ୍ରେସର ମିଛକୁ ‘ସତ’ରେ ହରାଅ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ ଦେଶରେ ରାଜନୈତିକ ଝଡ଼ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସଂସଦକୁ ଅଚଳ କରୁଥିବାରୁ ପ୍ରଧାନମନ୍ତ୍ରୀ ବିଜେପି ସାଂସଦମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଉଥିବା ମିଛକୁ ‘ସତ’ ଏବଂ ମୋଦୀ ସରକାରଙ୍କ ଭଲ କାର୍ଯ୍ୟଦ୍ବାରା ପରାସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦଙ୍କୁ କହିଛନ୍ତି। ଲୋକଙ୍କ ସହିତ ଯୋଗାଯୋଗ ଅଭାବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଯେଉଁ ମିଛ ପ୍ରଚାର କରୁଛନ୍ତି ସେଥିପାଇଁ କୌଣସି ଶୂନ୍ୟସ୍ଥାନ ଏହାଦ୍ବାରା ମିଳିବ ନାହିଁ। ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କୁ ଆଜି ଏହି ମନ୍ତ୍ର ଫୁଙ୍କିଛନ୍ତି।

କଂଗ୍ରେସ ଏହାର ଜନ ଆଧାର ହ୍ରାସ ପାଇଁ ବି ଚିନ୍ତିତ ନୁହେଁ। ଏହାସତ୍ତ୍ବେ ସେମାନଙ୍କ ମନରେ ୬୦ ବର୍ଷ ଶାସନ କରିଥିବା ମାନସିକତା ରହିଛି। ଶାସନରେ ରହିବା ଯେଭଳି ସେମାନଙ୍କ ହକ୍ ବୋଲି ସେମାନେ ଧରିନେଇଛନ୍ତି। ଲୋକମାନେ ଆମକୁ ବାଛିଥିବା ବିଷୟକୁ ଏଥିପାଇଁ ସେମାନେ ହଜମ କରିପାରୁନାହାନ୍ତି ବୋଲି ମୋଦୀ କହିଛନ୍ତି। ପଶ୍ଚିମବଙ୍ଗ, ଆସାମ ନିର୍ବାଚନରେ ସେମାନଙ୍କର ପ୍ରଦର୍ଶନ ଖରାପ ରହିଲା। ଏହାସତ୍ତ୍ବେ ସେମାନେ ବିରୋଧୀ ଦଳର ଦାୟିତ୍ବ ମଧ୍ୟ ତୁଲାଉନାହାନ୍ତି। ବିରୋଧୀଭାବେ ସେମାନେ ଲୋକଙ୍କ ହିତରେ ଆସୁଥିବା ସମସ୍ୟାକୁ ଦୃଢ଼ଭାବେ ଉପସ୍ଥାପନ କରିବା ଆବଶ୍ୟକ ହୋଇଥିବା ବେଳେ ସେମାନେ ଏହା କରୁନାହାନ୍ତି। କୋଭିଡ୍‌-୧୯ ମହାମାରୀଜନିତ ସଂକଟ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଏକ ରାଜନୈତିକ ନୁହେଁ ବରଂ ଏକ ମାନବିକତା ପ୍ରସଙ୍ଗ। ତେଣୁ ମହାମାରୀ ସମୟରେ ଯେଭଳି କେହି ଜଣେ ଭୋକିଲା ନରହନ୍ତି ତାହାକୁ ସରକାର ନିଶ୍ଚିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦମାନଙ୍କୁ ଉପରୋକ୍ତ କଥା କହିଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ବିରୋଧୀଙ୍କ ଆଚରଣକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ ବୋଲି ଯୋଶୀ କହିଛନ୍ତି। କଂଗ୍ରେସର ଆଚରଣ ଯୋଗୁ ସଂସଦରେ ଆଲୋଚନା ଫଳପ୍ରଦ ହେଉ। କିନ୍ତୁ ଗୃହକାର୍ଯ୍ୟରେ ବାଧା ପହଞ୍ଚାଇ କଂଗ୍ରେସ ସବୁଠୁ ଅଧିକ ଦାୟିତ୍ବହୀନ ଆଚରଣ ପ୍ରଦର୍ଶନ କରୁଛି। ଟିକା ହେଉ କିମ୍ବା ଗରିବଙ୍କ ମଙ୍ଗଳ ଯୋଜନା, ସାଂସଦମାନେ ଏଦିଗରେ କାର୍ଯ୍ୟ କରନ୍ତୁ। ଦେଶରେ ୪୧ କୋଟି ଟିକା ଦିଆଯାଇଛି। ପେଗାସସ୍ ଏବଂ ସରକାରଙ୍କ ମଧ୍ୟରେ କୌଣସି ସଂପର୍କ ନାହିଁ। ଏହାସତ୍ତ୍ବେ ବିରୋଧୀ ଯଦି ଉପଯୁକ୍ତ ଫୋରମ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବେ ତାହା ସେମାନଙ୍କୁ କରିବାକୁ ଦିଆଯାଉ। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ବାବଦରେ ଉତ୍ତର ଦେଇସାରିଛନ୍ତି ବୋଲି ମନ୍ତ୍ରୀ ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର