ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ପରବର୍ତ୍ତୀ ଜନଗଣନା ସହିତ ଜାତିଗତ ଜନଗଣନା କରିବାକୁ ନିଷ୍ପତ୍ତି ନେବା ଏକ ବଡ଼ ରାଜନୈତିକ ମାଷ୍ଟର‌ଷ୍ଟ୍ରୋକ୍‌ ବୋଲି କୁହାଯାଉଛି।  ଏହି ନିଷ୍ପତ୍ତି ସହିତ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଙ୍କ ଇଣ୍ଡିମେଣ୍ଟକୁ ଏକ ରଣନୀତିକ ଝଟ୍‌କା ଦେଇଛନ୍ତି।  ଇଣ୍ଡି ମେଣ୍ଟ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତେଜସ୍ବୀ ଯାଦବ ପ୍ରମୁଖ  ଜାତିଗତ ଜନଗଣନା ପାଇଁ ବାରମ୍ବାର ଦାବି କରୁଥିଲେ ଏବଂ ଏହି ପ୍ରସଙ୍ଗରେ ସରକାରକୁ ଲଗାତାର ଟାର୍ଗେଟ୍‌ କରି ଆସୁଥିଲେ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କଠାରୁ ଏହି ପ୍ରସଙ୍ଗ ଗୋଟିଏ ଝଟ୍‌କାରେ ଛଡ଼ାଇ ନେଇଛନ୍ତି ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ  ଆଲୋଚନା ହେଉଛି। 

Advertisment

ଜାତିଗତ ଜନଗଣନା

ବିରୋଧୀ ଦଳ ନେତାମାନେ ସମସ୍ତ ସଭା, ସମାବେଶ ଓ ବୈଠକରେ ଜାତିଗତ ଜନଗଣନାକୁ କେନ୍ଦ୍ର ସରକାର ବିରୋଧରେ ଏକ ଅସ୍ତ୍ରଭାବେ ପ୍ରୟୋଗ କରୁଥିବା ବେଳେ ଆଜି ସରକାର ଜାତିଗତ ଜନଗଣନା ପାଇଁ ଘୋଷଣା କରିବା ପରେ ବିରୋଧୀ ଦଳମାନେ ସେମାନଙ୍କ ରଣନୀତି ବଦଳାଇବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି। କଂଗ୍ରେସ ଶାସିତ କେତେକ ରାଜ୍ୟରେ ଏଭଳି ଜାତିଗତ ସର୍ଭେ କରିବାକୁ ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଥିବା ବେଳେ ଦେଶବ୍ୟାପୀ ଜାତିଗତ ଜନଗଣନା କରିବାକୁ ନିଷ୍ପତ୍ତି ନେଇ ମୋଦୀ ସରକାର କଂଗ୍ରେସକୁ ଘୋର ଅଡ଼ୁଆରେ ପକାଇଛନ୍ତି। ନିକଟରେ କର୍ଣ୍ଣାଟକ ଏଭଳି ପ୍ରୟାସ କରିଥିଲା କିନ୍ତୁ ସେହି ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯାଇ ପାରିନଥିଲା। ରାଜ୍ୟସ୍ତରରେ ଉପର ଠାଉରିଆ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ଆଣି ଏହାକୁ ଅନେକ ବିରୋଧ କରିଥିଲେ।  ଚଳିତ ବର୍ଷ  ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ  ସରକାରଙ୍କ ଜାତିଗତ ଜନଗଣନା ନିଷ୍ପତ୍ତି ବିଜେପି ଓ ଏହାର ସହଯୋଗୀ ଦଳକୁ  ଏଥିରୁ ବଡ଼ ରାଜନୈତିକ ଫାଇଦା ମିଳିପାରେ ବୋଲି ବିଶ୍ୱାସ କରାଯାଉଛି। ଏହାପରେ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ଓ ତାମିଲନାଡୁ ନିର୍ବାଚନରେ  ମଧ୍ୟ ଏହାର ଫାଇଦା ଉଠାଇବାକୁ ବିଜେପି ଚେଷ୍ଟା କରିବ।   ବିହାରରେ ହୋଇଥିବା ଜାତିଗତ ଜନଗଣନା ଅନୁଯାୟୀ, ରାଜ୍ୟରେ ପଛୁଆ ଜାତିର ମୋଟ ଜନସଂଖ୍ୟା ପ୍ରାୟ ୬୩.୧୪ ପ୍ରତିଶତ ଅଟେ। ଅତ୍ୟନ୍ତ ପଛୁଆ ବର୍ଗ (ଓବିସି) ୪,୭୦,୮୦,୫୧୫ ଏବଂ ପଛୁଆ ବର୍ଗ (ଓବିସି)ରେ ୩,୫୪,୬୩,୯୩୬ ଜଣ ରହିଛନ୍ତି। ଏହାବ୍ୟତୀତ ଅନୁସୂଚିତ ଜାତିର ଜନସଂଖ୍ୟା ୨,୫୬,୮୯,୮୨୦ ଅଟେ। ଅଣସଂରକ୍ଷିତ ଜାତିର ଜନସଂଖ୍ୟା ୨,୦୨,୯୧,୬୭୯ ଓ ଅନୁସୂଚିତ ଜନଜାତିର ଜନସଂଖ୍ୟା ୨୧,୯୯,୩୬୧ ଅଟେ। 

ଦେଶବ୍ୟାପୀ ଜନଗଣନା କରିବାକୁ ବିଜେପିର ଘୋଷଣା ବିରୋଧୀ ଦଳଗୁଡ଼ିକର ସମ୍ବିଧାନ ଓ ଆମ୍ବେଦକର ଆଖ୍ୟାନକୁ ମଧ୍ୟ ସଂପୂର୍ଣ୍ଣ ବିଫଳ କରିଦେଇପାରେ ବୋଲି କୁହାଯାଉଛି।  ଏହା ସହ ଗତ କିଛି ମାସ ଧରି ପିଡିଏ ଅର୍ଥାତ୍ ପଛୁଆ-ଦଳିତ ଓ ସଂଖ୍ୟାଲଘୁ ହିସାବ ନିର୍ଦ୍ଧାରଣ କରୁଥିବା ଉତ୍ତରପ୍ରଦେଶର ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ବଡ଼ ଝଟକା ଲାଗିପାରେ। ୨୦୨୭ରେ ୟୁପିରେ ନିର୍ବାଚନ ହେବାକୁ ଯାଉଛି। ସମ୍ଭବତଃ ସରକାର ପରବର୍ତ୍ତୀ ଜନଗଣନା ୨୦୨୬ରେ ହିଁ କରିବେ। ଯଦି ଏପରି ହୁଏ ତେବେ ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଓ ମାୟାବତୀଙ୍କ ରାଜନୈତିକ ବାଜି ମଧ୍ୟ ପ୍ରଭାବିତ ହୋଇପାରେ।