ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ବୈଠକ: ଭାରତୀୟ ଟିକା ସବୁଠୁ ସୁଲଭ ଓ ପ୍ରଭାବୀ

ପ୍ରଥମ ପର୍ଯ୍ୟାୟ ଟିକାକରଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଆରମ୍ଭ ‌ହେବାକୁ ଯାଉଛି କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ। କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଟିକାକରଣ ଯୋଜନାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ୨ଟି କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବାପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ‌ଏହା ମୋଦୀଙ୍କର ପ୍ରଥମ ବୈଠକ। ବୈଠକରେ ମୋଦୀ କହିଛନ୍ତି, ଜାନୁଆରି ୧୬ରୁ ଭାରତ ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। ଭାରତର ଟିକା ସବୁଠୁ ସୁଲଭ ଏବଂ ପ୍ରଭାବୀ । ବିଦେଶୀ ଟିକା ତୁଳନାରେ ଭାରତୀୟ ଟିକା ସବୁଠୁ ସୁଲଭ। ଏହା ଆମ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇଛି ବୋଲି ମୋଦୀ କହିଛନ୍ତି। ଟିକା ବଣ୍ଟନ କ୍ଷେତ୍ରରେ ଗୁରୁତ୍ବ ଦେଇ ମୋଦୀ କହିଛନ୍ତି, ପ୍ରଥମେ କରୋନା ଯୋଦ୍ଧାମାନେ ଟିକା‌ ପାଇବେ। ୨ଟି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି ଏବଂ ୪ଟି ଟିକାର ପ୍ରସ୍ତୁତି ଜାରି ରହିଛି। ତେବେ ପ୍ରଥମ ପର୍ଯ୍ୟାୟର ଟିକାକରଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେନି। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୋଦୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସରକାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ତାଲିକା ଅନୁଯାୟୀ ପ୍ରଥ‌ମେ ୧ କୋଟି ସ୍ବାସ୍ଥ୍ୟକର୍ମୀ ଏବଂ ୨ କୋଟି ଆଗଧାଡ଼ିର ଯୋଦ୍ଧା ଟିକା ନେବେ। ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ କୌଣସି ରାଜନେତା ସାମିଲ ହୋଇପାରିବେନି। ରାଜନେତା ମାନେ ଧାଡ଼ି ଅତିକ୍ରମ ନକରି ନିଜ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ଉଲ୍ଲେଖଯୋଗ୍ୟ ନିକଟରେ ସ୍ବା‌ସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ବୈଠକ ସମୟରେ ବିହାର ଏବଂ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଦାବି କରିଥିଲେ ଯେ, ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଜନପ୍ରତିନିଧିଙ୍କୁ ଆଗ ଧାଡ଼ିର ଯୋଦ୍ଧା ଭାବେ ବିବେଚନା କରାଯାଉ ଏବଂ ସେମାନଙ୍କୁ ମଧ୍ୟ ଟିକା ଦିଆଯାଉ। ଏହି ମର୍ମରେ ମୋଦୀ ଆଜି ଏନେଇ ସ୍ପ‌ଷ୍ଟ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜନେତାମାନେ ଟିକା ପାଇବେନି। ବିଶ୍ବରେ ଏବେ ମାତ୍ର ୨.୫ କୋଟି ଲୋକ ଟିକା ନେଇଛନ୍ତି। ତେବେ ଭାରତ ଆସନ୍ତା କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ଉଦ୍ୟମ ଚଳାଇଛି। ବୈଠକ ପରେ ମୋଦୀ କହିଛନ୍ତି, ‌ଦେଶର ବୈଜ୍ଞାନିକମାନେ ସମସ୍ତ ନାଗରିକଙ୍କୁ ଏକ ଫଳପ୍ରଦ ଟିକା ଦେବାପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛନ୍ତି।

୧୧ ନିୟୁତ ଡୋଜ୍ କୋଭିସିଲ୍‌ଡ ଟିକା କ୍ରୟ ଆଦେଶ ଦେଲେ ସରକାର
ନୂଆଦିଲ୍ଲୀ: ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିକଶିତ କୋଭିସିଲ୍‌ଡ ଟିକାର ୧୧ ନିୟୁତ ଡୋଜ୍‌ କିଣିବା ଲାଗି କେନ୍ଦ୍ର ସରକାର ଆଦେଶ ପ୍ରଦାନ କରିଛନ୍ତି। ସରକାର ଗୋଟେ ଶିଶି ଟିକା ପାଇଁ ୨୧୦ ଟଙ୍କା ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ଯେ, ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ସମେତ ଭାରତ ବାୟୋଟେକ୍‌ର କୋଭାକ୍ସିନ ‌ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜରୁରୀ ବ୍ୟବହାର ପାଇଁ ପୂର୍ବରୁ ଅନୁମତି ଦେଇ ସାରିଛନ୍ତି। ଡିସିଜିଆଇର ଏହି ଅନୁମତି ମିଳିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ଲାଗି ଘୋଷଣା କରାଯାଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ କୋଟି ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ବିଭିନ୍ନ ଜଟିଳ ରୋଗ ଥିବା ୫୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏ‌ମାନଙ୍କ ସଂଖ୍ୟା ପ୍ରାୟ ୨୭ କୋଟି ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର