ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦୀ ଗତକାଲି ରାତିରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ୧୦୦ ବର୍ଷୀୟା ହୀରାବେନ୍ଙ୍କୁ ଅହମଦାବାଦର ୟୁଏନ୍ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ତେବେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍ ପକ୍ଷରୁ ବୁଲେଟିନ୍ ଜାରି ହୋଇଛି। ହସ୍ପିଟାଲ ପକ୍ଷରୁ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନି।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ହସ୍ପିଟାଲରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ହସ୍ପିଟାଲରେ ପହଞ୍ଚି ମୋଦୀଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ହୀରାବେନଙ୍କ ଆରୋଗ୍ୟ ପାଇଁ ମୋଦୀଙ୍କ ହୋମ୍ଟାଉନ୍ ବଡ଼ଗାମରେ ପୂଜାର୍ଚ୍ଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋଦୀ ଶେଷ ଥର ପାଇଁ ଗାନ୍ଧିନଗରରେ ତାଙ୍କ ମା’ଙ୍କୁ ଭେଟିଥିଲେ।