‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମୁଁ ବି ‌ଚୌକିଦାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନ ପାଇଁ ଏହା ବିଜେପିର ନୂଆ ରାଜନୈତିକ ସ୍ଲୋଗାନ୍‌। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ମୋଦୀଙ୍କୁ ରାଫେଲ୍‌ ପ୍ରସଙ୍ଗରେ‌ ‘ଚୌକିଦାର ଚୋର’ କହି ଆସିଥିବାରୁ ଏବେ ବିଜେପି ଏହି ଚୌକିଦାର ଶବ୍ଦକୁ ହିଁ ନିର୍ବା‌ଚନୀ ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ କରିଛି। ମୋଦୀ ଆଜି ଟ୍ବିଟରରେ ଏକ ଭିଡିଓ ଜାରି କରି କହିଛନ୍ତି, କେବଳ ମୋଦୀ ଚୌକିଦାର ନୁହନ୍ତି ବରଂ ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶର ସେବା କରୁଛନ୍ତି ସେମାନେ ଜଣେ ଜଣେ ଚୌକିଦାର। ‌‌ଯେଉଁମ‌ାନେ ଦୁର୍ନୀତି, ସାମାଜିକ କୁସଂସ୍କାର ବିରୋଧରେ ଲଢ଼େଇ କରୁଛନ୍ତି, ଯେଉଁମାନେ ଦେଶର ବିକାଶ ଦିଗରେ କଠୋର ପରିଶ୍ରମ କରୁଛନ୍ତି ସେମାନେ ମଧ୍ୟ ଜଣେ ଜଣେ ଚୌକିଦାର ବୋଲି ମୋଦୀ କହିଛନ୍ତି। ଏହି ଭିଡିଓରେ ମୋଦୀ ସରକାରଙ୍କ ମୁଦ୍ରା ଓ ଉଜ୍ଜ୍ବଳା ପରି ବିଭିନ୍ନ ଯୋଜନା ସମେତ ସ୍ବଚ୍ଛ ଭାରତ ଅଭିଯାନ ସଂପର୍କରେ ମଧ୍ୟ ତଥ୍ୟ ରହିଛି। ମୋଦୀ ଉକ୍ତ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଆସନ୍ତା ମାର୍ଚ୍ଚ ୩୧ରେ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ମୋଦୀ ନିର୍ବାଚନୀ ପ୍ରଚାର ସମୟ‌ରେ ‘ଚୌକିଦାର’ ଶବ୍ଦ ବ୍ୟବହାର କରିଥିଲେ। ସେ ପ୍ରଧାନମନ୍ତ୍ରୀ ହେଲେ ଦେଶର ଜନସାଧାରଣଙ୍କୁ ସୁରକ୍ଷା ଦେଇ ଚୌକିଦାରର ଭୂମିକା ନିଭାଇବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ବରି‌ଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ଉପହାସଜନକ ‘ଚା’ ବାଲା ଟିପ୍ପଣୀକୁ ବିଜେପି ଯେଭଳି ବିଶାଳ ପ୍ରଚାର ଅଭିଯାନରେ ବ୍ୟବହାର କରିଥିଲା ଏଥର ଚୌକିଦାର ପ୍ରସଙ୍ଗକୁ ମଧ୍ୟ ସେଭଳି ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର