ମୋଦୀଙ୍କ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ, ଲୋକଙ୍କ ଅର୍ଥକୁ ଲୁଟିବାକୁ ଦେବିନାହିଁ

୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣ ହେବ, ନେହରୁ-ଗାନ୍ଧୀ ପରିବାର ଦାରିଦ୍ରୢ ବଢ଼ାଇଛନ୍ତି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ ହୋଇଉଠିଛି। ରାଜନୈତିକ ଦଳମାନେ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୁଁ ବି ଚୌକିଦାର’ ଅଭିଯାନ ମାଧ୍ୟମରେ ୫୦୦ ସ୍ଥାନରେ ଲୋକଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଥିଲେ,  ୨୦୧୪ରେ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ତଥା ଚୌକିଦାର ଭାବେ ଜନସାଧାରଣ ଆସୀନ କରିଥିଲେ। ଜନତାଙ୍କ ଅର୍ଥକୁ ଲୁଟ୍‌ରୁ ରକ୍ଷା କରିବା ପାଇଁ ମୁଁ ସର୍ବଦା ନିଷ୍ଠାପର ପ୍ରୟାସ କରିଆସିଛି। ଦେଶର ଜନତା ଏହି ଚୌକିଦାରକୁ ପସନ୍ଦ କରିଛନ୍ତି ବୋଲି ମୁଁ ଅନୁଭବ କରିଛି। ଦେଶର ଜନତାଙ୍କ ପାଇଁ ଏବେ ରାଜା, ମହାରାଜାଙ୍କ ଆବଶ୍ୟକ ନାହିଁ। ସେମାନେ ଏକ ନିଷ୍ଠାବାନ ଚୌକିଦାର ଚାହୁଛନ୍ତି ଏବଂ ଏଥିପାଇଁ ଦେଶରେ ଚୌକିଦାର ପ୍ରତି ଆଦର ନିରନ୍ତର ବଢ଼ିବାରେ ଲାଗିଛି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚୌକିଦାର ଏକ ଉତ୍ସାହ, ଏକ ଭାବନା ଏବଂ ଦେଶ ପ୍ରତି ଏକ ଦାୟିତ୍ବବୋଧ । ଦେଶର ଜନସାଧାରଣ ପୁଣି ଥରେ ଆମକୁ ସେବା କରିବା ପାଇଁ ସୁଯୋଗ ଦେବେ। ଦେଶର ଯୁବ ଗୋଷ୍ଠୀ ଭବିଷ୍ୟତକୁ ଦୃଷ୍ଟିରେ  ରଖି ସେମାନଙ୍କ ମତ ଜାହିର୍‌ କରୁଥିବାରୁ ମୁଁ ଏଥିରେ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

 

ବାଲାକୋଟ ବିମାନ ଆକ୍ରମଣ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ,  ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଆମର ସୁରକ୍ଷା ବାହିନୀ କେତେ ସକ୍ଷମ ତାହା ଏଥିରୁ ପ୍ରମାଣିତ ହୋଇଛି। ଦେଶର ସୁରକ୍ଷା ପାଇଁ ତାଙ୍କ ସରକାର ସର୍ବଦା ଉଚିତ ନିର୍ଣ୍ଣୟ ନେଇଛି ଏବଂ ଏଭଳି ନିଷ୍ପତ୍ତି ନେଲାବେଳେ ରାଜନୈତିକ ଭବିଷ୍ୟତ କଥା ମୁଁ ଚିନ୍ତା କରିନଥାଏ ବୋଲି ମୋଦୀ କହିଥିଲେ। ମୋ ପାଇଁ ଦେଶ ସବୁଠାରୁ ଊର୍ଦ୍ଧ୍ବରେ ଏବଂ ଦେଶର ସ୍ବାର୍ଥଠାରୁ  ଆଉ କିଛି ଅଧିକ ବଡ଼ ନାହିଁ ବୋଲି ସେ କହିଥିଲେ। ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ମୋଦୀ କହିଥିଲେ ଯେ ବିଶ୍ବର ବହୁ ନେତା ତାଙ୍କ ସହିତ ହାତ ମିଳାନ୍ତି ଏବଂ ଆଲିଙ୍ଗନ କରନ୍ତି, କିନ୍ତୁ କେହି ଗଳାରେ ପଡ଼ନ୍ତି ନାହିଁ ।  ଯେଉଁମାନେ ଦେଶର ଅର୍ଥକୁ ଲୁଟିଛନ୍ତି ସେମାନଙ୍କୁ ତାହା ଫେରାଇବାକୁ ପଡ଼ିବ ଏବଂ କେହି ବି ନିସ୍ତାର ପାଇବେ ନାହିଁ ବୋଲି ମୋଦୀ ଚେତାବନୀ ଦେଇଥିଲେ।  ୨୦୨୨ ସୁଦ୍ଧା ଦେଶର କୃଷକଙ୍କ ଆୟ ଦୁଇ ଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗରିବ ଓ କୃଷକଙ୍କ କଲ୍ୟାଣ ପାଇଁ ସରକାର ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛନ୍ତି ଏବଂ ଜନତା ଏହାର ସୁଫଳ ପାଉଛନ୍ତି ବୋଲି ସେ କହିଥିଲେ। ନେହରୁ-ଗାନ୍ଧୀ ପରିବାର ୪ ପିଢ଼ି ଧରି ଦେଶରେ ଶାସନ  କରିବା ସହ   ଦାରିଦ୍ରୢ ବଢ଼ାଇ ଚାଲିଲେ ଏବଂ ଏହାର କୁଫଳ ଦେଶ ଭୋଗୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର