ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳତା ହାସଲ କରିଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତା ନିର୍ବାଚିତ କରାଯାଇଛି। ଜୁନ୍‌ ୭ ତାରିଖରେ ମେଣ୍ଟ ନେତାମାନଙ୍କର ଆଉ ଏକ ବୈଠକ ବସିବ। ଏଥିରେ ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ କରାଯିବ। ଏହାପରେ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ। କିନ୍ତୁ ମୋଦୀଙ୍କ ନେତୃତ୍ବରେ ନୂଆ ମନ୍ତ୍ରିମଣ୍ଡଳ କେବେ ଶପଥ ଗ୍ରହଣ କରିବ ତାହା ସ୍ଥିର ହୋଇନାହିଁ। ଏସଂପର୍କରେ ସହଯୋଗୀ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ ଚାଲିଛି। ତେବେ ଯାହା ଜଣାପଡ଼ିଛି, ମୋଦୀ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି।

Advertisment

ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୨୭୨ ଅତିକ୍ରମ କରି ଏନ୍‌ଡିଏ ମେଣ୍ଟ ୨୯୨ଟି ଆସନରେ ବିଜୟୀ ହୋଇଥିବାରୁ ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ମୋଦୀ ଦ୍ୱିତୀୟ ନେତା ଭାବେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିବେ। ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଜେପି ସମେତ ଏନ୍‌ଡିଏର ସମସ୍ତ ସହଯୋଗୀ ଦଳର ନେତାମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ ସରକାର ଗଠନ ନେଇ ଆଲୋଚନା ହୋଇଥିଲା। ବୈଠକରେ ୧୬ଟି ଅଂଶୀଦାର ଦଳର ୨୧ ଜଣ ନେତା ଉପସ୍ଥିତ ଥିଲେ। ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା, ରାଜନାଥ ସିଂହ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମନେତା ନୀତୀଶ କୁମାର, ଏଲ୍‌ଜେପି(ରାମବିଳାସ) ନେତା ଚିରାଗ ପାଶ୍ବାନ, ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ସମସ୍ତ ସହଯୋଗୀ ଦଳର ନେତା ଉପସ୍ଥିତ ଥିଲେ। ବୈଠକେର ଏକ ପ୍ରସ୍ତାବ ଗୃହୀତ କରାଯାଇ ମୋଦୀଙ୍କ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରାଯିବା ସହିତ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଂକଳ୍ପ ନିଆଯାଇଥିଲା।

ବୈଠକରେ ଏନ୍‌ଡିଏର ସହଯୋଗୀ ଦଳମାନେ ନୂଆ ସରକାର ଗଠନ ପାଇଁ ଲିଖିତ ସମର୍ଥନ ଜଣାଇଥିବାରୁ ସରକାର ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ସରକାର ତୁରନ୍ତ ଗଠନ ଲାଗି ପଦକ୍ଷେପ ନେବାପାଇଁ ଉଭୟ ନାଇଡ଼ୁ ଏବଂ ନୀତୀଶ ଜୋର ଦେଇଥି‌ଲେ। ଚନ୍ଦ୍ରବାବୁ କହିଥିଲେ, ଆମେ ଏନଡିଏରେ ଅଛୁ ଏବଂ ଏନ୍‌ଡିଏର ସରକାର ଗଠନ ହେବାକୁ ଯାଉଛି। ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନମଧ୍ୟରୁ ଟିଡିପି ୧୬ଟି ରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ବିହାରର ୪୦ଟି ଲୋକସଭା ଆସନରୁ ୧୨ଟିରେ ବିଜୟୀ ହୋଇଛି। ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସରକାର ଗଠନରେ ବିଳମ୍ବିତ ହେବା ଉଚିତ ନୁହେଁ। ଏନଡିଏ ୨୯୨ଟି ଆସନ ଜିତିଥିବାରୁ ସରକାର ଗଠନ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ନୀତୀଶ କହିଛନ୍ତି।
ତେବେ ନୂଆ ମନ୍ତ୍ରିମଣ୍ଡଳରେ କେଉଁ ଦଳର କେତେ ପ୍ରତିନିଧି ରହିବେ, ତାହାକୁ ନେଇ ସହ‌ଯୋଗୀ ଦଳମ‌ାନଙ୍କ ସହିତ ଆଲୋଚନା କରାଯିବ।

ଚନ୍ଦ୍ରବାବୁ ଏବଂ ନୀତୀଶଙ୍କ ସମେତ ଅନ୍ୟ ଦଳର ନେତାମାନେ ସେମାନଙ୍କ ଦାବି ସଂପର୍କରେ ବିଜେପି ନେତୃତ୍ବକୁ ଜଣାଇଥିବ‌ା ଖବର ମିଳିଛି। ମନ୍ତ୍ରିମଣ୍ଡଳରେ ଏଲ୍‌ଜେପି(ରାମବିଳାସ), ଶିବସେନା ଏବଂ ପବନ କଲ୍ୟାଣଙ୍କ ଜନସେନା ସମେତ ଅନ୍ୟ କେତେକ ଦଳର ପ୍ରତିନିଧି ମଧ୍ୟ ରହିବ। ଜେଡିୟୁ ୩ଟି କ୍ୟାବିନେଟ୍ ମନ୍ତ୍ରୀ ଦାବି କରିଥିବା ବେଳେ ଏକନାଥ ସିନ୍ଦେ ଶିବସେନା ଗୋଷ୍ଠୀ ଗୋଟିଏ କ୍ୟାବିନେଟ୍ ଓ ୨ଟି ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରିଛି। ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଗୋଟିଏ କ୍ୟାବିନେଟ ଏବଂ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ପାଇଁ ଚାପ ପକାଇପାରେ। ହାମ(ଏସ୍) ମୁଖ୍ୟ ଜିତମ ରାମ ମାଝୀ ମଧ୍ୟ ନୂଆ ସରକାରରେ କ୍ୟାବିନେଟ୍ ପଦ ଚାହୁଁଛନ୍ତି। ସହଯୋଗୀମାନଙ୍କ ଏଭଳି ଦାବିକୁ ନେଇ ବିଜେପିରେ ମନ୍ଥନ ଆରମ୍ଭ ହୋଇଯାଇଛି। ବିଚାରଆଲୋଚନା ପ‌ରେ ତାଲିକା ଚୂଡ଼ାନ୍ତ ହେବାପରେ ଶପଥ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ୫୪୩ ସଭ୍ୟ ବିଶିଷ୍ଟ ଲୋକସଭା ନିର୍ବାଚନରେ ମାତ୍ର ୨୪୦ ଆସନରେ ବିଜୟ ହାସଲ କରି ବିଜେପି ଏଥର ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ରହିଛି। ସହଯୋଗୀଙ୍କ ସହାୟତାରେ ଏନ୍‌ଡିଏ ୨୯୨ଟି ଆସନରେ ବିଜୟ ହାସଲ କରିଛି। ସେହିଭଳି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟକୁ ୨୩୩ଟି ଆସନ ମିଳିଛି। ଏଥିରେ କଂଗ୍ରେସ ୯୯ଟଇ ଆସନ ହାସଲ କରିଛି। ଅନ୍ୟମାନଙ୍କୁ ୧୭ଟି ଆସନରେ ବିଜୟ ମିଳିଛି। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ସୁପାରିସ ଅନୁଯାୟୀ ଲୋକସଭା ଭଙ୍ଗ କରାଯାଇଛି।