କିଭ୍/ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା ହେବାର କିଛି ଘଣ୍ଟା ପରେ ପରସ୍ପର ଉପରେ ରୁଷିଆ ଏବଂ ୟୁକ୍ରେନ୍ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଫଳରେ ଶାନ୍ତି ପାଇଁ ମୋଦୀଙ୍କ ପ୍ରୟାସ ପୁଣି ଥରେ ବିଫଳ ହୋଇଛି।
ଗୁରୁବାର ରୁଷିଆ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ୩୦ କ୍ରୁଜ୍ ଏବଂ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତ ୪୪ ଦିନ ପରେ ରୁଷିଆ ପୁଣି ଥରେ ଏଭଳି ଆକ୍ରମଣ ଆରମ୍ଭ କରିଛି। କିଭ୍ ରେ ଗୁରୁବାର ଭୋର୍ ସମୟରେ ଏକାଧିକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୧୩ ଜଣ ଆହତ ହୋଇଛନ୍ତି ବୋଲି କିଭ୍ ସିଟି ପ୍ରଶାସନ ପ୍ରମୁଖ ସେରହି ପୋପକୋ ସୂଚନା ପ୍ରଦାନ କରିଛନ୍ତି। ତେବେ ରୁଷିଆ ଆକ୍ରମଣର କଡ଼ା ଜବାବ୍ ୟୁକ୍ରେନ୍ ମଧ୍ୟ ଦେଇଥିବା ସେ କହିଛନ୍ତି।
କିଭ୍ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ସେଭଚେନାକ୍ବିଭସ୍କି ଜିଲ୍ଲାରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ଏକ ବହୁ ମହଲା କୋଠା ଏବଂ ଆପର୍ଟମେଣ୍ଟ ଭାଙ୍ଗି ଯାଇଥିବା ବେଳେ ଏକ କାରରେ ନିଆଁ ଲାଗିଯାଇଛି। ଲୋକେ ଘରେ ଶୋଇଥିବା ବେଳେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ପ୍ରଶାସନ ପକ୍ଷରୁ ଶୋଇଥିବା ଲୋକଙ୍କୁ ଘରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ମୋଦୀଙ୍କ ସହ ଉଭୟ ନେତାଙ୍କ ଆଲୋଚନା ପରେ ଶାନ୍ତି ପ୍ରୟାସ ଆଗେଇବା ସହିତ ଯୁଦ୍ଧରେ ବିରାମ ଲାଗିବାର ଆଶା କରାଯାଉଥିଲା। ମାତ୍ର ପୁଟିନ ଏବଂ ଜେଲେନେସ୍କି ପୁଣି ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛନ୍ତି।