ଚୀନ୍‌ ସୀମା ନିକଟସ୍ଥ ଗ୍ରାମରେ ମୋଦୀଙ୍କ ଜନସଭା

ଡେରାଡୁନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚୀନ୍‌ ସୀମା ସଂଲଗ୍ନ ଶେଷ ଗ୍ରାମରେ ଜନସଭା କରିଛନ୍ତି। ବଦ୍ରିନାଥର ମାନାରେ ମୋଦୀ ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ‘ଭୋକାଲ୍‌ ଫର ଲୋକାଲ୍‌’ ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ ଏହି ସୀମାନ୍ତ ଗ୍ରାମରେ ଜନସାଧାରଣଙ୍କୁ ଏବଂ ବିଶେଷକରି ପର୍ଯ୍ୟଟକମାନଙ୍କୁ ଏ ଦିଗରେ ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି।

ମୋଦୀ କହିଛନ୍ତି, ଦେ‌ଶର ସମସ୍ତ ପର୍ଯ୍ୟଟକଙ୍କୁ ମୁଁ ଏହା ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କ ଗସ୍ତ ବଜେଟ୍‌ର ୫ ପ୍ରତିଶତ ସ୍ଥାନୀୟ ଉତ୍ପାଦନ କ୍ରୟ କରିବାରେ ଖର୍ଚ୍ଚ କରନ୍ତୁ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବାପାଇଁ ମୋଦୀ ପୂର୍ବରୁ ମଧ୍ୟ ଅନେକ ଥର ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଗ୍ରାମ ସମ୍ପର୍କରେ କହିବାକୁ ଯାଇ ମୋଦୀ କହିଛନ୍ତି, ସୀମା ଅଞ୍ଚଳରେ ଥିବା ସମସ୍ତ ଗ୍ରାମକୁ ଏବେ ଭାରତର ପ୍ରଥମ ଗ୍ରାମ ବିବେଚନା କରାଯିବ।

ମାନାରେ ମୋଦୀ ଆଜି ୧୦୦୦ କୋଟି ଟଙ୍କାର ୨ଟି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପିଏମ୍‌ଓ ଅଫିସ ଅନୁଯାୟୀ ମାନାରୁ ମାନା ପାସ୍‌ ଏବଂ ଯୋଶିମଠରୁ ମଲାରି ପର୍ଯ୍ୟନ୍ତ ଥିବା ୨ଟି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ଦ୍ବାରା ସୀମା ନିକଟସ୍ଥ ଅଞ୍ଚଳଗୁଡ଼ିକୁ ସବୁ ଋତୁରେ ଯୋଗାଯୋଗ ସୁବିଧା ହୋଇପାରିବ । ସାମରିକ ରଣନୀତି ଦୃଷ୍ଟିରୁ ମଧ୍ୟ ଏହା ବିଶେଷ ଉପଯୋଗୀ ହୋଇପାରିବ। ମୋଦୀ ଆଜି ବଦ୍ରିନାଥରେ ରିଭରଫ୍ରଣ୍ଟ୍‌ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର