ଉତ୍ତରପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ସମୀକ୍ଷା ବୈଠକ, ବିନା ମାସ୍କରେ ଭିଡ଼ ଅତ୍ୟନ୍ତ ଚିନ୍ତାଜନକ

ନୂଆଦିଲ୍ଲୀ : ଉତ୍ତରପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି। ୮ ଉତ୍ତରପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ୍‌, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଭର୍ଚୁଆଲ୍‌ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି, କରୋନାର ତୃତୀୟ ଲହର ସହ ଲଢ଼ିବାପାଇଁ ଆମକୁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପଡ଼ିବ। ତେବେ ଲୋକମାନେ କୋଭିଡ୍‌ ନିୟମର ଉଲ୍ଲଂଘନ କରି ଶୈଳ ନିବାସ ଏବଂ ବଜାରମାନଙ୍କରେ ମାସ୍କ ନପିନ୍ଧି ବୁଲିବା ଖୁବ୍‌ ଚିନ୍ତାଜନକ। କରୋନା ପାଇଁ ପର୍ଯ୍ୟଟନ ବ୍ୟବସାୟ ଅତି ଗଭୀର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ମୁଁ ଜୋର ଦେଇ କହିବି ବିନା ମାସ୍କରେ ଏଭଳି ବଜାର ଏବଂ ଶୈଳ ନିବାସ ଗୁଡ଼ିକରେ ଭିଡ଼ କରିବା ଆଦୌ ଠିକ୍‌ ନୁହେଁ। କରୋନାର ତୃତୀୟ ଲହର ରୋକିବା ପାଇଁ ଆମକୁ ଏକାଠି କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉତ୍ତରପୂର୍ବ ରାଜ୍ୟମାନଙ୍କରେ କୋଭିଡ୍‌ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। କିଛି ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ସଂକ୍ରମଣ ରୋକିବା ଦିଗରେ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ମୋଦୀ କହିଛନ୍ତି, ସଂକ୍ରମଣ ବଢ଼ୁଛି। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଆମକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ରାଜ୍ୟମାନେ ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ ଉପରେ ପ୍ରାଧାନ୍ୟ ଦେବାକୁ ହେବ।

ସମ୍ବନ୍ଧିତ ଖବର