୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ସମୀକ୍ଷା ବୈଠକ

ପୂର୍ବାପେକ୍ଷା ଅଧିକ ସଚେତନ ହେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସ ବୈଠକ କରିଛନ୍ତି। ଏହି ୭ ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ ଏବଂ ପଂଜାବ। ଉପରୋକ୍ତ ରାଜ୍ୟରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର ୬୩ ପ୍ରତିଶତ ଏଠାରେ ଚିହ୍ନଟ ହୋଇଛି। ସେହିପରି ଦେଶର ମୋଟ୍‌ ସଂକ୍ରମଣ ମାମଲାର ୬୫.୬ ପ୍ରତିଶତ ଏବଂ ମୋଟ୍‌ ମୃତ୍ୟୁସଂଖ୍ୟାର ୭୭ ପ୍ରତିଶତ ଏହି ୭ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଆଜି ସନ୍ଧ୍ୟାରେ ହୋଇଥିବା ବୈଠକରେ ଉକ୍ତ ୭ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ୫ ରାଜ୍ୟ ସହ ନିକଟରେ ଦିଲ୍ଲୀ ଏବଂ ପଂଜାବରେ ସଂକ୍ରମଣ ବଢ଼ିଚାଲିଛି।

ମହାରାଷ୍ଟ୍ର, ପଂଜାବ ଏବଂ ଦିଲ୍ଲୀରେ ମଧ୍ୟ ଅଧିକ ମୃତ୍ୟୁ ହାର ରହିଛି। ‌ତେଣୁ ଅଧିକ ସଂକ୍ରମଣ ବଢ଼ିବାରୁ ଉପରୋକ୍ତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ମୋଦୀ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ମୋଦୀ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଫୋକସ୍‌ କରିବାକୁ କହିଛନ୍ତି। ‌ସେହିପରି ଟେଷ୍ଟିଂ ଏବଂ ଟ୍ରେସିଂ ଉପରେ ଗୁରୁତ୍ବାରୋପ କରିବାକୁ କହିଛନ୍ତି। ମୋଦୀ କହିଛନ୍ତି କିଛି ଲୋକ ସଂକ୍ରମଣର ଭୟାବହତାକୁ ଅଣଦେଖା କରି ଭୁଲ୍‌ କରୁଛନ୍ତି। ତେବେ ରାଜ୍ୟମାନେ କରୁଥିବା ଦିନେ କିମ୍ବା ୨ ଦିନିଆ ଲକ୍‌ଡାଉନ୍ କେତେଦୂର ଫଳପ୍ରଦ ତାହା ଆକଳନ କରିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି। ସଂକ୍ରମଣକୁ ବେଖାତିର ନକରି ଏହାକୁ ଭଲଭାବେ ମୁକାବିଲା କରିବାକୁ ପଡ଼ିବ ଏବଂ ପୂର୍ବାପେକ୍ଷା ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ମୋଦୀ ଆଜିର ବୈଠକରେ କହିଛନ୍ତି।

ସମ୍ବନ୍ଧିତ ଖବର