ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ସାଂସଦ, ସରକାରୀ ଅଧିକାରୀ ଏବଂ ଅନ୍ୟ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ସେ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ପ୍ରତିନିଧି ଭାବେ ୧୪୦ କୋଟି ଭାରତୀୟଙ୍କ ସଦିଚ୍ଛା ଓ ଶୁଭେଚ୍ଛା ତାଙ୍କ ସହ ଆଣିଛନ୍ତି। ଭାରତକୁ ମୋଦୀ ଗଣତନ୍ତ୍ରର ମା’ ବୋଲି ଅଭିହିତ କରି କହିଛନ୍ତି, ଆମ ପାଇଁ ଗଣତନ୍ତ୍ର କେବଳ ଏକ ପଦ୍ଧତି ନୁହେଁ। ଏହା ଆମ ମୌଳିକ ମୂଲ୍ୟବୋଧର ଏକ ଅଂଶ। ସତ ଗଣତନ୍ତ୍ର ବିତର୍କ, ଆଲୋଚନା, ସମ୍ମାନ ଏବଂ ମାନବ ଅଧିକାର ପାଇଁ ଉତ୍ସାହିତ କରେ ବୋଲି ସେ କହିଛନ୍ତି। ମୋଦୀ ତାଙ୍କ ଭାଷଣରେ ପୁରୁଣା ଅନ୍ତର୍ଜାତୀୟ ଅନୁଷ୍ଠାନ ଗୁଡ଼ିକରେ ସଂସ୍କାରର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି, ବିଶ୍ବ ଏବେ ନୂଆ ତଥା ଜଟିଳ ସଙ୍କଟର ସମ୍ମୁଖୀନ ହୋଇଛି। ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ, ସାଇବର ଅପରାଧ ଭଳି ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଗତ ଶତାବ୍ଦୀରେ ଯେଉଁ ଅନୁଷ୍ଠାନଗୁଡ଼ିକ ସୃଷ୍ଟି ହୋଇଥିଲା ସେଗୁଡ଼ିକ ଏହି ଜଟିଳ ଚ୍ୟାଲେଞ୍ଜର ମୁକାବିଲା କରିପାରୁନାହାନ୍ତି। ପରିବର୍ତ୍ତିତ ପରିସ୍ଥିତି ବୈଶ୍ବିକ ଶାସନରେ ଏକ ଫଳପ୍ରଦ ଓ ବିଶ୍ବସନୀୟ ସଂସ୍କାର ଦାବି କରୁଛି। ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ରାଷ୍ଟ୍ରଗୁଡ଼ିକୁ ଧ୍ୟାନ ନଦେଲେ ପ୍ରକୃତ ପ୍ରଗତି ଆସିପାରିବନି। ଆମେ ଗର୍ବିତ ଯେ ଆମ ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି-୨୦ର ଏକ ସ୍ଥାୟୀ ସଦସ୍ୟ ହୋଇଛି। ମୋଦୀ ଆଜି ଘାନା ସଂସଦରେ କହିଥିଲେ ଯେ ଭାରତରେ ୨୫୦୦ରୁ ଅଧିକ ରାଜନୈତିକ ଦଳ ଅଛି। ଏହା ଶୁଣିବାପରେ ହଠାତ୍ ସଂସଦରେ ଥିବା ସଦସ୍ୟମାନେ ଆଶ୍ଚର୍ଯ୍ୟ ହେବା ସହ ହସିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଘାନାର ଜାତୀୟ ସମ୍ମାନ ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରାଯାଇଛି। ସୁଶାସନ ଓ ପ୍ରଭାବଶାଳୀ ବୈଶ୍ବିକ ନେତୃତ୍ବ ପାଇଁ ମୋଦୀଙ୍କୁ ଘାନାର ଜାତୀୟ ସମ୍ମାନ ମିଳିଛି। ଘାନା ରାଷ୍ଟ୍ରପତି ଜନ ଡାମାନି ମହାମା ମୋଦୀଙ୍କ ପଶ୍ଚିମ ଆଫ୍ରିକୀୟ ରାଷ୍ଟ ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିପାଇଁ କୃତଜ୍ଞତା ଜ୍ଞାପନ କରି ମୋଦୀ କହିଛନ୍ତି ଏହି ସମ୍ମାନ ଦେଶର ଯୁବଗୋଷ୍ଠୀର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସେମାନଙ୍କ ଆକାଂକ୍ଷା ପାଇଁ ସମର୍ପିତ। ଭାରତ ଓ ଘାନା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଆମ ସାଂସ୍କୃତିକ ପରମ୍ପରା ପ୍ରତି ଏହା ସମର୍ପିତ ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଏହି ସମ୍ମାନ ମଧ୍ୟ ଭାରତ- ଘାନା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାପାଇଁ ଏକ ଦାୟିତ୍ବ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp