ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଷୋଡ଼ଶ ପ୍ରଶାସନିକ ସେବା ଦିବସ, ୨୦୨୩ ରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିସହିତ ସାଧାରଣ ପ୍ରଶାସନରେ ଉତ୍କର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବା ସହ ପୁସ୍ତକ ଉନ୍ମୋଚନ କରିଥିଲେ।

Advertisment

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଚଳିତ ବର୍ଷ ପ୍ରଶାସନିକ ସେବା ଦିବସ ପାଳନ ଅଧିକ ସ୍ୱତନ୍ତ୍ର ହୋଇପଡିଛି କାରଣ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିସାରିଛି ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ କରିବାକୁ ଆଗକୁ ବଢିବାକୁ ଆରମ୍ଭ କରିଛି । ସେ ୧୫-୨୫ ବର୍ଷ ପୂର୍ବେ ଏହି ସେବାରେ ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଏବଂ ଅମୃତ କାଳର ଆଗାମୀ ୨୫ ବର୍ଷ ମଧ୍ୟରେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରୁଥିବା ଯୁବ ଅଧିକାରୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅମୃତ କାଳରେ ଦେଶର ସେବା କରିବା ଯୁବ ଅଫିସରମାନଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ । ଦେଶର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ଦାୟିତ୍ୱ ପ୍ରତ୍ୟେକଙ୍କ କାନ୍ଧରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମୟର ସ୍ୱଳ୍ପତା ଉପରେ ଟିପ୍ପଣୀ ଦେଇଥିଲେ।

ବିକଶିତ ଭାରତର ଧାରଣା ଉପରେ ଆଧାର କରି ଚଳିତ ବର୍ଷର ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ କେବଳ ଆଧୁନିକ ଭିତ୍ତିଭୂମିରେ ସୀମିତ ନୁହେଁ। ବିକଶିତ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଭାରତର ସରକାରୀ ବ୍ୟବସ୍ଥା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବା ଆବଶ୍ୟକ। ଏଥିସହିତ ପ୍ରତ୍ୟେକ ସରକାରୀ କର୍ମଚାରୀ ସବୁ ନାଗରିକଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ଭି ଶ୍ରୀନିବାସ ଉପସ୍ଥିତ ଥିଲେ।