‘କୋଭିଡ୍‌ ଲଢ଼େଇରେ ମୋଦୀଙ୍କ ଅନୁକୂଳ ଉଦ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି’

ନୂଆଦିଲ୍ଲୀ : କୋଭିଡ୍‌-୧୯ ସଂକ୍ରମଣର ମୁକାବିଲା ପାଇଁ ଲକ୍‌ଡାଉନ୍‌ ସ୍ଥିତି ବେଳେ ବିପୁଳ ଅର୍ଥନୈତିକ ଓ ସାମାଜିକ ପ୍ରତିକୂଳତା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୫ କୋଟି ଭାରତୀୟଙ୍କୁ ଘରେ ରହିବା ପାଇଁ ସଫଳତାର ସହ ପ୍ରବର୍ତ୍ତାଇଥିଲେ ବୋଲି କେମ୍ପ୍ରିଜ୍‌ ବିଶ୍ବବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାଯାଇଛି। କୋଭିଡ୍‌-୧୯ ସମ୍ପର୍କରେ ଗଣମାଧ୍ୟମ ଓ ଲୋକଙ୍କ ପ୍ରତି ଭାରତ ସରକାରଙ୍କ ଯୋଗାଯୋଗ ସଂକ୍ରାନ୍ତ ଏକ ବିଶ୍ଳେଷଣାତ୍ମକ ଅନୁଧ୍ୟାନ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିଲା। ଏଥିରେ ଲକ୍‌ଡାଉନ ସମୟରେ କଟକଣା ମାନି ଘରେ ରହିବା ପାଇଁ ଲୋକଙ୍କୁ ପ୍ରଭାବିତ କରିବାରେ ମୋଦୀଙ୍କ ଅନୁକୂଳ ମୃଦୁ ଖେଞ୍ଚଣା ଗୁରୁତ୍ବପୂର୍ଣ ଭୂମିକା ନିଭାଇଥିଲା ବୋଲି ଜଣାଯାଇଛି।

 

କୋଭିଡ୍‌ ସଂକ୍ରମଣ ସାରା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିୟମିତ ଆହ୍ବାନ ଦେଶବାସୀଙ୍କୁ ଅଭୂତପୂର୍ବ ଭାବେ ଆକଟ କରି ରଖିଥିଲା ବୋଲି କୁହାଯାଇଛି। ଏଥି ସହିତ ଯୋଗ ଓ ଆୟୁର୍ବେଦ ଔଷଧ ମାଧ୍ୟମରେ ଲୋକେ ରୋଗ ପ୍ରତିରୋଧ ବଢ଼ାଇବା ସହ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ମଧ୍ୟ ଅନୁଦାନ ଅଜାଡ଼ିଛନ୍ତି ବୋଲି ଜଣାଯାଇଛି। ଲକ୍‌ଡାଉନ୍‌ ସ୍ଥିତିର ପ୍ରାରମ୍ଭିକ ଅବସ୍ଥା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ କୋଭିଡ୍‌ ଲଢ଼େଇରେ ପ୍ରମୁଖ ଭୂମିକା ନିଭାଇଥିଲା। ସେହିପରି ସଂକ୍ରମଣ ହ୍ରାସ ପାଇଁ ଯୋଜନା ପ୍ରସ୍ତୁତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମୟିକ ଉଦ୍ୟମଗୁଡ଼ିକ ହିଁ ବେଶ ଫଳପ୍ରଦ ହୋଇଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି। ସର୍ବସାଧାରଣରେ ତାଙ୍କର ନିୟମିତ ଉପସ୍ଥିତି ହିଁ ୧୩୫ କୋଟି ଦେଶବାସୀଙ୍କ ଲକ୍‌ଡାଉନ୍‌ କଟକଣା ଅନୁପାଳନ ଓ  ସାମାଜିକ ଦୂରତ୍ବ ବଜାୟ ରଖିବାରେ ସବୁଠୁ ଉଲ୍ଲେଖନୀୟ ଉପାଦାନ ପାଲଟିଥିଲା ବୋଲି ଏହି ଅନୁଧ୍ୟାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର