ପୁଲୱାମା ସହିଦଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି : ଆମ ସୁରକ୍ଷା କର୍ମୀଙ୍କ ପାଇଁ ଗର୍ବିତ

ନୂଆଦିଲ୍ଲୀ : ଆଜକୁ ଠିକ୍‌ ଦୁଇ ବର୍ଷ ତଳେ ପୁଲଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଚେନ୍ନାଇ ଠାରେ କହିଛନ୍ତି ଯେ ସେଭଳି ଦିନକୁ କୌଣସି ବି ଭାରତୀୟ ଭୁଲି ପାରିବେନି। ଆମ ସୁରକ୍ଷା କର୍ମୀମାନେ ନିଜର ମାତୃଭୂମିକୁ ସୁରକ୍ଷିତ ରଖିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ଓ ସୁଦୃଢ଼ ବୋଲି ବାରମ୍ବାର ପ୍ରମାଣିତ କରି ଆସିଥିବା ବେଳେ ସେମାନଙ୍କ ଲାଗି ଦେଶ ଗର୍ବିତ। ସେହିପରି ସେମାନଙ୍କର ଏହି ଅସାଧାରଣ ବୀରତ୍ବ ଓ ଉତ୍ସାହ କାଳ କାଳ ଧରି ଅନ୍ୟମାନଙ୍କୁ ଉତ୍ସାହିତ କରି ଚାଲିଥିବ ବୋଲି ସେ କହିଛନ୍ତି।

ଏଠାରେ ସ୍ମରଣଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁରୁ ୭୮ଟି ବସ୍‌ରେ ପ୍ରାୟ ୨୫୦୦ ସୁରକ୍ଷା କର୍ମୀ ଶ୍ରୀନଗର ପରିବହନ ହେଉଥିଲେ। ତେବେ ଆତ୍ମଘାତୀ ଆତଙ୍କବାଦୀମାନେ ପୁଲଵାମା ଠାରେ ଏକ ବିସ୍ଫୋରକ ବୋଝେଇ ଟ୍ରକ୍‌କୁ ସୁରକ୍ଷା କର୍ମୀମାନଙ୍କ ଏକ ଯାନ ସହ ମାଡ଼ କରାଇଥିଲେ। ଏଥିରେ ଭୀଷଣ ବିସ୍ଫୋରଣ ଘଟି ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଥିବା ବେଳେ ୨୨ ବର୍ଷୀୟ ଆତଙ୍କବାଦୀ ଆଦିଲ ଅହମ୍ମଦ ଦର୍‌ ଏହି ବିସ୍ଫୋରଣ ରଚାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର