ପଞ୍ଜାବ ଗୁଇନ୍ଦା ମୁଖ୍ୟାଳୟ ଆକ୍ରମଣ ପଛରେ ଖଲିସ୍ଥାନୀ, ଆଇଏସଆଇ : ପୁଲିସ

ମୋହାଲି : ନିକଟରେ ମୋହାଲିସ୍ଥିତ ପଂଜାବ ପୁଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ଖଲିସ୍ଥାନୀ  ଆତଙ୍କବାଦୀ ସଂଗଠନ ବାବର ଖାଲସା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରହିଛି ବୋଲି ପଂଜାବ ପୁଲିସ ପକ୍ଷରୁ କୁହାଯାଇଛି ।

ପଂଜାବ ପୁଲିସ ମହାନିର୍ଦ୍ଦେଶକ ଭି.କେ.ଭାଓ୍ବରା କହିଛନ୍ତି ଯେ, ଏହି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଲଖବୀର ସିଂ ଲଣ୍ଡା । ସେ ତରନତାରନ ଜିଲ୍ଲାର ଅଧିବାସୀ ଓ ଜଣେ ଗ୍ୟାଙ୍ଗଷ୍ଟର । ସେ ୨୦୧୭ରୁ କାନାଡାରେ ରହୁଛି । ସେ ହରିନ୍ଦର ସିଂ ରିଣ୍ଡାର ଜଣେ ଘନିଷ୍ଠ ସହଯୋଗୀ । ରିଣ୍ଡା ପାକିସ୍ତାନରେ ରହୁଛି ଓ ଆଇଏସଆଇ ନିର୍ଦ୍ଦେଶରେ କାମ କରୁଛି ।

ଲଣ୍ଡାର ଦୁଇ ସହଯୋଗୀ ନିଶାନ ସିଂ ଓ ଚରଦ ସିଂ ମଧ୍ୟ ତରନତାରନ ଜିଲ୍ଲାର ଅଧିବାସୀ । ଦୁଇଦିନ ତଳେ ଫରିଦକୋଟ ପୁଲିସ ଦ୍ବାରା ଗିରଫ ହୋଇଥିବା ନିଶାନ ସିଂ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଆଶ୍ରୟ ଦେଇଥିଲା । ନିଶାନ ସିଂ ହିଁ ଅଭିଯୁକ୍ତକୁ ଆରପିଜି ( ରକେଟ ପ୍ରୋପେଲଡ ଗ୍ରେନେଡ୍) ପ୍ରଦାନ କରିଥିଲା ।

ଗତ ସୋମବାର ସଂଧ୍ୟାରେ ମୋହାଲି ସ୍ଥିତ ପଂଜାବ ପୁଲିସର ଗୁଇନ୍ଦା ମୁଖ୍ୟାଳୟର ୩ୟ ମହଲାଗକୁ ଲକ୍ଷ୍ୟ କରି ଖଲିସ୍ଥାନୀ ଆତଙ୍କବାଦୀମାନେ ଏକ ଆରପିଜି ନିକ୍ଷେପ କରିଥିଲେ । ଅତି ସୁରକ୍ଷିତ ଏହି କୋଠା ଉପରକୁ ଗ୍ରେନେଡ ମାଡ ପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା ।

 

ସମ୍ବନ୍ଧିତ ଖବର