ପାକିସ୍ତାନୀ ବ୍ୟାଟ୍ସମ୍ୟାନ ରିଜୱାନଙ୍କ ଚିକିତ୍ସା କରିଥିଲେ ଭାରତୀୟ ଡାକ୍ତର, ସୁସ୍ଥତା ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ । ରିଜୱାନ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିରୋଧରେ ୫୨ ବଲରେ ୬୭ ରନର ଆକର୍ଶଣୀୟ ପାଳି ଖେଳିଥିଲେ । ହେଲେ ଏଭଳି ସୁନ୍ଦର ବ୍ୟାଟିଂ କରିବା ପରେ ବି ପାକିସ୍ତାନ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା ।

ପାକିସ୍ତାନ ସିନା ପରାଜିତ ହୋଇଥିଲା ହେଲେ କ୍ରିକେଟ ପ୍ରେମୀମାନେ ରିଜୱାନଙ୍କ ଖେଳକୁ ବହୁତ ପସନ୍ଦ କରିଥିଲେ । ପାକିସ୍ତାନର ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଛାତିରେ ସଂକ୍ରମଣ କାରଣରୁ ସେମିଫାଇନାଲ ମୁକାବିଲାର ଠିକ୍ ଦୁଇଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି କ୍ରମରେ ମେଟେଓର୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରିଥିଲେ ଭାରତୀୟ ଡାକ୍ତର ସାହିର ସୈନାଲବଦ୍ଦିନ୍ । ରିଜୱାନ ଏତେ ଶୀଘ୍ର ସୁସ୍ଥ ହେବା ଦେଖି ଡାକ୍ତର ସାହିର ବି ବେଶ୍ ଚକିତ ହୋଇଯାଇଥିଲେ ।

ଭାରତୀୟ ଡାକ୍ତର ସାହିର ସୈନାଲବଦ୍ଦିନ୍ କହିଛନ୍ତି ଯେ, ରିଜୱାନ ମହତ୍ୱପୂର୍ଣ୍ଣ ନକଆଉଟ୍ ମ୍ୟାଚ ଖେଳିବାକୁ ତୀବ୍ର ଇଚ୍ଛା ପ୍ରକାଶ କରିଥିଲେ । ଏହି ଇଚ୍ଛା ଓ ତାଙ୍କ ଭିତରେ ଥିବା ଦୃଢ ବିଶ୍ୱାସ ତାଙ୍କୁ ତୁରନ୍ତ ସୁସ୍ଥ କରିବାରେ ସହାୟକ ହୋଇଥିଲା । ସେମିଫାଇନାଲ ପୂର୍ବରୁ ସୁସ୍ଥ ହେବା ଓ ଫିଟନେସ୍ ହାସଲ କରିବା ଆଶା କେବେ ବି ନ ଥିଲା । ହେଲେ ରିୱାଜଙ୍କ ଇଚ୍ଛାଶକ୍ତି ସମସ୍ତ ଡାକ୍ତରୀ ଦଳକୁ ଆଚମ୍ବିତ କରିଛି । ସେ ଆଇସିୟୁରେ ଥାଇ ବାରମ୍ବାର କହୁଥିଲେ-‘‘ମୁଝେ ଖେଲନା ହୈ, ଟିମକେ ସାଥ୍ ରେ‌ହୈନା ହୈ।’’

ଡା.ସାହିର କହିଛନ୍ତି ଯେ, ରିଜୱାନ ମେଡିକାଲରେ ଭର୍ତ୍ତି ହେବାର ୩-୫ ଦିନ ପୂର୍ବରୁ ତାଙ୍କୁ ଜ୍ୱର ଆସୁଥିଲା । ଏହାସହ କାଶ ଓ ମୁଣ୍ଡ ବ୍ୟଥା ବି ଥିଲା । ଚିକିତ୍ସା କରୁଥିବା ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା କରି ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ।

ସମ୍ବନ୍ଧିତ ଖବର