ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ମୋହନ ଭାଗବତ

ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସଂରକ୍ଷଣ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଐକ୍ୟ ପରିବେଶ ମଧ୍ୟରେ ଏ ନେଇ ଆଲୋଚନା ହେବା ଉଚିତ ବୋଲି ଭାଗବତ ରବିବାର କହିଛନ୍ତି। ଭାଗବତ ଏହି ମନ୍ତବ୍ୟ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଗରିବ ଏବଂ ପଛୁଆ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ କୋଟା ବା ସଂରକ୍ଷଣରେ ପୂର୍ଣ୍ଣଛେଦ ପକାଇବା ପାଇଁ ମୋଦୀ ସରକାରଙ୍କ ଉଦ୍ଦେଶ୍ୟକୁ ସେ ପରିପ୍ରକାଶ କରିଛନ୍ତି। ଆରଏସ୍‌ଏସ୍‌ ପକ୍ଷରୁ ଆୟୋଜିତ ଜ୍ଞାନ ଉତ୍ସବର ଉଦଯାପନୀ ସମାରୋହରେ ଯୋଗଦେଇ ଭାଗବତ ଏହା କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ସରକାରଙ୍କ ଦଳିତ ବିରୋଧୀ ଏବଂ ପଛୁଆ ବର୍ଗ ବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିଯାଇଛି ବୋଲି ସୂର୍ଯ୍ୟେୱାଲା କହିଛନ୍ତି। ସେହିଭଳି ସଂରକ୍ଷଣ ବିରୋଧୀ ମାନସିକତା ପରିତ୍ୟାଗ କରିବା ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଆରଏସ୍‌ଏସ୍‌କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିହାର ନିର୍ବାଚନ ପୂର୍ବରୁ ୨୦୧୫ ମସିହାରେ ମୋହନ ଭାଗବତଙ୍କ ଏଭଳି ମନ୍ତବ୍ୟ ବିତର୍କ ସୃଷ୍ଟି କରିଥିଲା। ସେତେବେଳେ ସେ ସଂରକ୍ଷଣ ନୀତିର ସମୀକ୍ଷା କରିବା ଲାଗି ମତ ଦେଇଥିଲେ।

ସମ୍ବନ୍ଧିତ ଖବର