ନୂଆଦିଲ୍ଲୀ: ଓଡ଼ିଶାରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସ୍ଥାନୀୟ ଭାରତ ମଣ୍ଡପମରେ ଉକ୍ତ ବୈଠକରେ ପ୍ରାୟ ୭୫ହଜାର କୋଟି ଟଙ୍କାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ, ରାଜ୍ୟରେ ନିର୍ମାଣାଧୀନ ଅଥବା ଅନୁମୋଦନ ଅପେକ୍ଷାରେ ଥିବା ୨୧,୬୫୦ କୋଟି ମୂଲ୍ୟର ପ୍ରକଳ୍ପ ସହ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ୫୨ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ହେଲା, ବୈଠକରେ ୪ ଲେନ୍ ବିଶିଷ୍ଟ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥି ସହ ରାସ୍ତାର ଦୁଇ ପାର୍ଶ୍ବରେ ସର୍ଭିସ ରୋଡ୍ ତିଆରି ହେବ। ଏଥି ପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ୟସ୍ତବହୁଳ ୨୦୦ କିମି ବିଶିଷ୍ଟ ଚଣ୍ଡିଖୋଲ-ବଡ଼ବିଲ ଜାତୀୟ ରାଜପଥ (ଏନ୍ଏଚ୍) ପାଇଁ ପ୍ରାୟ ୧୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପରେ ୮ ଲେନ୍ ରାସ୍ତା ସହ ୨ ଲେନ୍ ସର୍ଭିସ ରୋଡ୍ ବି ରହିବ। ୫୪ କିମି ଖୋର୍ଦ୍ଧା-ନୟାଗଡ଼ (ଏନ୍ଏଚ୍- ୫୭) ଚାରି ଲେନ ବିଶିଷ୍ଟ ହେବା ସହ ସର୍ଭିସ ରୋଡ୍ ରହିବ। ଏଥି ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେସିଙ୍ଗା-ଜୁନାଗ୍ଡ଼ (ଏନ୍ଏଚ୍-୨୬) ୪ ଲେନ୍ ହେବା ସହ ୧୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉପରୋକ୍ତ ୪ଟି ପ୍ରକଳ୍ପରେ ୧୫ହଜାର କୋଟି ଟଙ୍କା ବ୍ୟୟ ପାଇଁ ବୈଠକରେ ସହମତି ହୋଇଛି। ୨୪୬ କିମି ବିଶିଷ୍ଟ କୋରାପୁଟ-ପୋଡ଼ାମାରି (ଏନ୍ଏଚ୍-୨୬) ରାସ୍ତା ଦୁଇ ଥାକିଆ ପାଇଁ ୨୫୦୦ କୋଟି ଟଙ୍କା ମଂଜୁର ହୋଇଛି। ଏଥି ସହିତ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି(ସିଆର୍ଆଇଏଫ୍) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ପାଇଁ ସେତୁ ବନ୍ଧୁ ଯୋଜନାରେ କେନ୍ଦ୍ର ସରକାର ୨୫୦ କୋଟି ଟଙ୍କା ମଂଜୁର କରିଛନ୍ତି। ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯିବ। ବୈଠକରେ ୨୧,୬୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଛି। ଏଥିରୁ ଅଧା ରାଶି ଅନୁମୋଦନ ହୋଇସାରିଛି।
ଓଡ଼ିଶାର ମେରୁଦଣ୍ଡ ୯୬୯ କିମି ବିଶିଷ୍ଟ ମୋଟୁ-ତିରିଙ୍ଗି ପ୍ରକଳ୍ପ ଓ ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ପାଇଁ ପ୍ରାୟ ୧୫ହଜାର କୋଟି ଟଙ୍କା ବ୍ୟୟ ହେବ। ଏହା ୯ଟି ଜିଲ୍ଲା ଦେଇ ଯିବ। ସେହିଭଳି ୭୫୦୦ କୋଟି ଟଙ୍କାର ୩୮୩ କିମି ଝାରସୁଗୁଡ଼ା - ବାଲେଶ୍ବର ରାସ୍ତା, ୯୫୦୦ କୋଟି ମୂଲ୍ୟର ୪୯୧ କିମି ନୂଆପଡ଼ା - ଅସ୍ତରଙ୍ଗ ରାସ୍ତା, ୬୮୦୦ କୋଟି ମୂଲ୍ୟର ୩୫୭ କିମି ବୁନ୍ଦାବାହାଲ –ଗୋପାଳପୁର ରାସ୍ତା ଓ ୫୪୭୭ କୋଟି ଟଙ୍କା ବ୍ୟୟରେ ୪୦୪ କିମି ସମ୍ବଲପୁର-ସାତଭାୟା ରାସ୍ତା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏହା ସହ ସାରା ଓଡ଼ିଶାକୁ ଅଣ୍ଡାକୃତି ଗ୍ରାଣ୍ଡ ରିଙ୍ଗ ରୋଡ୍ ଦ୍ବାରା ସଂଯୋଗ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏଥିରେ ବ୍ରହ୍ମପୁର-ଜୟପୁର (୨୮୭ କିମି, ବ୍ୟୟ ଅଟକଳ ୯୦୦୦କୋଟି), ଜୟପୁର-ରାଉରକେଲା (୬୩୮ କିମି, ଅଟକଳ ୨୫୦୦ କୋଟି), ରାଉରକେଲା-ଜଳେଶ୍ବର (୩୯୧ କିମି, ଅଟକଳ ୨୨୦୦ କୋଟି) ଓ ଜଳେଶ୍ବର-ବ୍ରହ୍ମପୁର (୪୪୨ କିମି) ପ୍ରସ୍ତାବ ରହିଛି। ଗ୍ରାଣ୍ଡ ରିଙ୍ଗ ରୋଡ୍ ପ୍ରକଳ୍ପରେ ପଶ୍ଚିମରୁ ପୂର୍ବକୁ ଓ ଉତ୍ତରରୁ ଦକ୍ଷିଣକୁ ରିଙ୍ଗ ରୋଡ୍ ସହ ଯୋଡ଼ାଯିବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପୂର୍ବରୁ ଓଡ଼ିଶାରେ ପ୍ରାୟ ୭୫ହଜାର କୋଟି ଟଙ୍କାର ପ୍ରକଳ୍ପ ହୋଇସାରିଥିବ। ବୈଠକରେ ସମସ୍ତ ପ୍ରକଳ୍ପ ଉପରେ ସକରାତ୍ମକ ଆଲୋଚନା ହୋଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ପ୍ରସ୍ତାବିତ ପ୍ରକଳଗୁଡ଼ିକୁ ମଞ୍ଜୁରି ଶୀଘ୍ର ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥି ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। କଟକ-ସମ୍ବଲପୁର (ଏନ୍ଏଚ୍-୫୧) ଚାରିଥାକିଆ ରାସ୍ତାର ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ବଳକା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ସେହିଭଳି ଉପକୂଳ ରାଜପଥ ପ୍ରସଙ୍ଗରେ ଉତ୍ତର ରଖି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ରାମେଶ୍ବର ଠାରୁ ରତନପୁର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।