ଭୋପାଳ: ମଧ୍ୟପ୍ରଦେଶରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସସପେନ୍ସ ଶେଷ ହୋଇଛି। ଭୋପାଳରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଥିଲା। ଏହି ସସ୍ପେନ୍ସ ଏପରି ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କେହି ଟେର୍ ପାଇନଥିଲେ । ଏପରିକି  ନିଜେ ମୋହନ ଯାଦବ ମଧ୍ୟ ଏହା ଜାଣିନଥିଲେ ।

Advertisment

ସୋମବାର ହୋଇଥିବା ବିଜେପି ବିଧାୟକ ଦଳ ବୈଠକ ସମୟରେ ମୋହନ ଯାଦବ ପଛ ଧାଡ଼ିରେ ବସିଥିଲେ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏକଥା ଆଉ କେହି ନୁହେଁ, ସେ ନିଜେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋହନ ଯାଦବ କହିଛନ୍ତି, କେବଳ ବିଜେପି ହିଁ ଜଣେ ସାଧାରଣ କର୍ମୀଙ୍କୁ ଏତେ ବଡ଼ ଦାୟିତ୍ବ ଦେଇଥାଏ। ଏହି ନୂତନ ଦାୟିତ୍ୱ ପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ନିଶ୍ଚିତ ଭାବେ ଆମେ ବିକାଶର ଏହି କାରାଭାନକୁ ଆଗକୁ ନେବୁ ବୋଲି ମୋହନ ଯାଦବ ରାଜଭବନରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲଙ୍କ ସହ ବୈଠକ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ଗତ ଡିସେମ୍ବର ୩ ତାରିଖରେ ଘୋଷିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୧୬୩ ଟି ଆସନ ଜିତି କ୍ଷମତା ବଜାୟ ରଖିଥିବାବେଳେ କଂଗ୍ରେସ ୬୬ ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ।