ପୁଣେ: ପୁଣେର ଯବତମାଲ ଜିଲ୍ଲାର ମହାଗାଁର ଇଜାରା ଗାଁରେ ଖୁସିର ପରିବେଶରେ ହଠାତ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ୟୁପିଏସସି ପରୀକ୍ଷାରେ ଝିଅ ସଫଳ ହେବାପରେ ବାପା ଅତ୍ୟଧିକ ଖୁସି ହୋଇ ଝୁମି ଯାଇଥିଲେ। କିଛି ସମୟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ପ୍ରହ୍ଲାଦ ଖଣ୍ଡାରେଙ୍କ ଝିଅ ମୋହିନୀ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରହ୍ଲାଦ ତାଙ୍କ ଝିଅକୁ ଜଣେ ଆଇଏଏସ ଅଧିକାରୀ କରିବାକୁ ଚାହୁଁଥିଲେ। ନିକଟରେ ମୋହିନୀ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାପାଙ୍କ ସ୍ବପ୍ନକୁ ପୁରା କରିଥିଲେ। ସମଗ୍ର ଗାଁରେ ମୋହିନୀଙ୍କ ସଫଳତା ପାଇଁ ଉତ୍ସବର ପରିବେଶ ରହିଥିଲା । ପରସ୍ପର ମଧ୍ୟରେ ମିଠା ବଣ୍ଟାବଣ୍ଟି ଚାଲିଥିଲା।
ଏତିକି ବେଳେ ପ୍ରହ୍ଲାଦ ଖଣ୍ଡାରେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପରିବାରଲୋକ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଝିଅ ମୋହିନୀ ୟୁପିଏସସି ପାଇବା ପାଇଁ ଅନେକ ଦିନରୁ ଚେଷ୍ଟା କରୁଥିଲେ। ଚଳିତଥର ମୋହିନୀ ନିଜ ପରିଶ୍ରମର ଫଳ ପାଇବା ପରେ ପରିବାରରେ ଖୁସିର ମହଲ ଦେଖା ଦେଇଥିଲା। ଏହି ସଫଳତା ପାଇବା ପରେ ମୋହିନୀ ଯେତିକି ଖୁସି ହୋଇଥିଲେ ବାପାଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ପ୍ରହଲ୍ଲାଦ ଖଣ୍ଡାରେ ଗାଁରେ ଜଣେ ସମ୍ମାନିତ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଏବଂ ତାଙ୍କର ସାମାଜିକ କାର୍ଯ୍ୟକାରିତା ଯୋଗୁଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ।