କରୋନାର ଏହି ଔଷଧ ସେବନ କଲେ ଲାଭ ତୁଳନାରେ କ୍ଷତି ଅଧିକ !

ନୂଆଦିଲ୍ଲୀ : କରୋନା ଔଷଧ ମଲନୁପିରାଭିର ଉତ୍ପାଦନ ପାଇଁ ଦେଶର ପ୍ରାୟ ୧୩ଟି ଫାର୍ମା କମ୍ପାନିଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଡ.ରେଡ୍ଡୀସ, ମାନକାଇଣ୍ଡ୍, ସିପଲା, ଷ୍ଟ୍ରାଇଡ୍, ହେଟେରୋ । ଏସବୁ କମ୍ପାନିମାନଙ୍କ ଦ୍ବାରା ଉତ୍ପାଦିତ କରୋନା ଔଷଧ ମଲନୁପିରାଭିର ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । କିନ୍ତୁ ଏହି ଔଷଧର ସେବନ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏପର୍ଯ୍ୟନ୍ତ ସୁପାରିଶ କରାଯାଉନାହିଁ । ଏହାର କାରଣ କଣ ?

ଏ ସମ୍ପର୍କରେ ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ କହିଛନ୍ତି, ଏହି ଔଷଧର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ରହିଛି । ଏହି ଔଷଧ ଖାଇଲେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ଏପରିକି ଏହି ଔଷଧ ଖାଇଲେ ଗର୍ଭରେ ଥିବା ଶିଶୁ ଗୁରୁତରଭାବେ ପ୍ରଭାବିତ ହୋଇପାରେ ।  ଏଣୁ ଏହି ଔଷଧ ଖାଇବାର ତିନିମାସ ପର୍ଯ୍ୟନ୍ତ ମାତାପିତାମାନେ ସନ୍ତାନ ପାଇଁ ଉଦ୍ୟମ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି ଔଷଧ ଖାଇଲେ ମଣିଷର ହାଡ଼ ଓ ମାଂସପେଶୀ ଦୂର୍ବଳ ହେବାର ସମ୍ଭାବନା ରହିଛି ।

ଗତ ବର୍ଷ ଅଗଷ୍ଟ ମାସରେ ଜର୍ଣ୍ଣାଲ ଅଫ ଇନଫେକ୍ଟିସିଅସ ଡିଜିଜରେ ପ୍ରକାଶିତ ଏକ ସଂଦର୍ଭରେ କେତେକ ଗବେଷକ ଲେଖିଛନ୍ତି ଯେ ଏହି ଔଷଧ ଖାଇଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି ।  ଏସବୁ କାରଣରୁ ଆଇସିଏମଆର ଏହି ଔଷଧ ସେବନ ପାଇଁ ସୁପାରିଶ କରୁନାହିଁ ।

 

ସମ୍ବନ୍ଧିତ ଖବର