ମୁମ୍ବାଇ: ଇଣ୍ଟରନେଟ୍ ଯୁଗର କାହାକୁ କେତେବେଳେ ପରିଚୟ ମିଳିବ ତାହା କେହି ଜାଣନ୍ତିନି। ଯେପରି ମହାକୁମ୍ଭରେ ସବୁତକ ଲାଇମ୍ଲାଇଟ୍ ଚୋଚେଇ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ମାଳି ବିକ୍ରି କରୁଥିବା ଜଣେ ଗରିବ ଝିଅ ମୋନାଲିସା ଭୋସଁଲେ। ତାଙ୍କର ସୁନ୍ଦର ନୀଳ ନୟନକୁ ଲୋକେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କ ସହ ତୁଳନା କରିବା ପରେ ରାତାରାତି ସେ ପାଲଟିଗଲେ ଇଣ୍ଟର୍ନେଟ୍ ସେନ୍ସେସନ୍।
ତ୍ରିବେଣୀ ସଂଗମରେ ସେ ମାଳି ବିକ୍ରି କରୁଥିବାର ଏକ ଛୋଟ ଭିଡିଓ ଭାଇରାଲ୍ ହେବା ପରେ ପ୍ରୟାଗରାଜ କୁମ୍ଭରେ ଜମିଲା ଲୋକଙ୍କ ଭିଡ଼। ମାଳି କିଣିବାକୁ କମ୍, ସେହି ଶ୍ୟାମ ରଙ୍ଗୀ କିଶୋରୀଙ୍କ ସହ ସେଲ୍ଫି ନେବାକୁ ବେଶି ଧାଇଁଗଲେ ଲୋକେ।
ଏବେ ଶୁଣିବାକୁ ମିଳୁଛି ତାଙ୍କୁ କୁଆଡ଼େ ବିଭିନ୍ନ ଆଡୁ ମଡେଲିଂ ଓ ଅଭିନୟର ଅଫର୍ ମିଳୁଛି। ତେବେ ଅଭିନୟ କରିବାକୁ ସେ ବି ରାଜି। ମହାକୁମ୍ଭରେ ନୀଳ ନୟନା ଐଶ୍ବର୍ଯ୍ୟାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି ସତ, ତାଙ୍କ ପ୍ରିୟ ଅଭିନେତ୍ରୀ କିନ୍ତୁ ସୋନାକ୍ଷୀ ସିହ୍ନା ଓ ପ୍ରିୟ ଅଭିନେତା ସଲମାନ ଖାନ୍।
ମୋନାଲିସା କହନ୍ତି କି ବଲିଉଡରେ କାମ କରିବା ତାଙ୍କର ସ୍ବପ୍ନ। ସୋନାକ୍ଷୀ ଓ ସଲ୍ମାନଙ୍କୁ ଭେଟିବାକୁ ତାଙ୍କୁ ପ୍ରବଳ ଇଚ୍ଛା। ଜୀବନ ଯଦି କେବେ ସୁଯୋଗ ଦିଏ ତେବେ ଏହି ଦୁଇ ‘ଦବଙ୍ଗ‘ ତାରକାଙ୍କୁ ଭେଟିବାକୁ ଚାହାନ୍ତି ଭାଇରାଲ୍ ଗାର୍ଲ।
ମୋନାଲିସାଙ୍କର ଏହା ମଧ୍ୟରେ ସୋସିଆଲ୍ ମିଡିଆରେ ଫଲୋୟର୍ସ ଓ ୟୁଟ୍ୟୁବରେ ସବ୍ସ୍କ୍ରାଇବର୍ ସଂଖ୍ୟା ମଧ୍ୟ ଢେର୍ ବଢ଼ିଯାଇଛି। ଆଗକୁ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଆହୁରି ଅଧିକ ସକ୍ରିୟ ରହିବେ ବୋଲି ଅନୁମାନ କରାଯାଉଛି। କାରଣ ମୋନାଲିସାଙ୍କୁ ମହାକୁମ୍ଭରେ ସୁନ୍ଦର ସୁନ୍ଦର୍ ରିଲ୍ସ ବନାଉଥିବାର ବି ଦେଖିବାକୁ ମିଳିଥିଲା।