ବିମୁଦ୍ରୀକରଣ ସମୟର ଷ୍ଟିଙ୍ଗ୍ ଭିଡିଓ ଜାରି:ଏନ୍‌ଡିଏକୁ ଘେରିଲେ ବିରୋଧୀ

ଜାଲିଆ‌ତିରେ ଗୁଜରାଟ ବିଜେପି ନେତା ସାମିଲ ଅଭିଯୋଗ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପ୍ରସଙ୍ଗରେ ଆଜି ବିରୋଧୀଦଳମାନେ ପୁଣି ଏକଜୁଟ୍‌ ହୋଇ ଏନ୍‌ଡିଏ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳମାନେ ଦିଲ୍ଲୀରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବିମୁଦ୍ରୀକରଣରୁ ବିଜେପି ସର୍ବାଧିକ ଫାଇଦା ଉଠାଇଛି ବୋଲି ଅଭିଯୋଗ କରିବା ସହ ୩୧ ମିନିଟ୍‌ର ଏକ ଷ୍ଟିଙ୍ଗ୍ ଭିଡିଓ ଜାରି କରିଛନ୍ତି। ତେବେ ଏହି ଭିଡିଓର ସତ୍ୟାସତ୍ୟ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ‘ଚୌକିଦାର ନରେନ୍ଦ୍ର ମୋଦୀ’ ଦେଶବାସୀଙ୍କୁ ଧୋକା ଦେଇଛନ୍ତି ଏବଂ ନୋଟ୍‌ ବଦଳାଇବା ଖେଳରେ ବିଜେପି ନେତାମାନେ ହିଁ ଅଗ୍ରଣୀ ରହିଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ କହିଛନ୍ତି। ବିମୁଦ୍ରୀକରଣ ଯୋଗୁଁ କୋଟି କୋଟି ଲୋକ ରୋଜଗାର ହରାଇଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି।
ଆଜି ବିରୋଧୀ ଦଳଙ୍କ ପକ୍ଷରୁ ଜାରି ଷ୍ଟିଙ୍ଗ୍ ଭିଡିଓ ଗୁଜରାଟର ବୋଲି ଦାବି କରାଯାଇଛି। ଏଥିରେ ଜଣେ ବ୍ୟକ୍ତି ଫୋନ୍‌ରେ ଟଙ୍କା ବଦଳାଇବା ସଂପର୍କରେ କଥାବାର୍ତ୍ତା କରୁଥିବା ଦେଖାଯାଇଛି । ବିମୁଦ୍ରୀକରଣ ପରେ ଟଙ୍କା ବଦଳାଇବା ପାଇଁ ଏଥିରେ ଆଲୋଚନା ହେବା ସହ ଟଙ୍କା ବଣ୍ଡଲ ମଧ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ଦାବି କରିଛନ୍ତି ଯେ ଭିଡିଓରେ ଯେଉଁ ଟଙ୍କା ଦେଖିବାକୁ ମିଳୁଛି ତାହା ବିଜେପିର ଏବଂ ବିଜେପି ନେତାଙ୍କ ଆକାଉଣ୍ଟ୍‌ରେ ଏହି ଅର୍ଥ ଜମା ହୋଇଥିଲା।
ସୂଚନାଯୋଗ୍ୟ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହୋଇଥିଲା ଏବଂ ଏହାକୁ ନେଇ ଦେଶରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ଏହାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ମୋଦୀ ସରକାରକୁ ଘେରିବା ପାଇଁ ବିରୋଧୀ ଦଳମାନେ ଜୋର୍‌ଦାର ପ୍ରୟାସ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାମନେ ଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ସ୍ବାଧୀନ ଭାରତରେ ବିମୁଦ୍ରୀକରଣ ସବୁଠାରୁ ବଡ଼ ଦୁର୍ନୀତି ବୋଲି କଂଗ୍ରେସ ନେତାମନେ ବୟାନ ଦେଇଆସୁଛନ୍ତି।

ସମ୍ବନ୍ଧିତ ଖବର