ଅସ୍ଥିରତା ଭିତରେ ଟଙ୍କା ପ୍ରଦର୍ଶନ ଭଲ କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ : ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତ୍ବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି। ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ଟଙ୍କା ନିଜ ସ୍ଥିତିକୁ ବଜାୟ ରଖିପାରିଛି। ମୁଦ୍ରା ବଜାରରେ ଅସ୍ଥିରତାକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦରକାର ସମୟରେ ହସ୍ତକ୍ଷେପ କରୁଛନ୍ତି। ଦେଶରେ ଥିବା ୫୬,୧୦୦ କୋଟି ଡଲାରର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଦୈନିକ ଝଟ୍‌କାର ମୁକାବିଲା କରିବାରେ ସହାୟକ ହେଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମେରିକାର ଫେ‌ଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମି ପାୱେଲ ଜ୍ୟାକ୍‌ସନ୍ ହୋଲ୍‌ ଇ କୋନମିକ୍ ପଲିସି ସିମ୍ପୋଜିୟମ୍ ୨୦୨୨କୁ ସମ୍ବୋଧିତ କରିବା ପରେ ଷ୍ଟକ ବଜାର କାରବାର ଅସ୍ଥିର ଓ ଅନିଶ୍ଚିତ ରହିଛି। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ ୭୯ ଟଙ୍କା ୭୯ ପଇସା ହୋଇଯାଇଥିଲା। ରଜିର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ସେଥିରେ ସୁଧାର ଘଟିଥିଲା। ବଜାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ୭୯ ଟଙ୍କା ୮୪ ପଇସା ରହିଥିଲା। ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବେଶ ଦୃଢ଼ ଭାବେ ବର୍ଣ୍ଣନା କରି ଶକ୍ତିକାନ୍ତ କହିଛନ୍ତି ଯେ ‌ଦେଶ ବାହାରେ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ମୁକାବିଲା କରିବା ଲାଗି ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେ ଏହା ମଧ୍ୟ ଜଣାଇଛନ୍ତି ଯେ ବିଶ୍ବର ବହୁ ଦେଶ ମାନ୍ଦାବସ୍ଥା କିମ୍ବା ଅଭିବୃଦ୍ଧିରେ ହ୍ରାସ ଭଳି ସ୍ଥିତିର ମୁକାବିଲା କରୁଥିବା ବେଳେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ ମଧ୍ୟକୁ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସୋଭରେନ୍ ଗ୍ରିନ୍ ବଣ୍ଡ୍‌ ଜାରି କରିବା ଲାଗି ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର