ମନି ଲଣ୍ଡରିଂ ମାମଲା: ସଂଜୟ ରାଉତଙ୍କୁ ଜାମିନ ୧୦୧ ଦିନ ପରେ ଜେଲ୍‌ରୁ ମୁକୁଳିଲେ

ମୁମ୍ବାଇ : ଶିବସେନା ନେତା ସଂଜୟ ରାଉତଙ୍କୁ ଏକ ସ୍ବତନ୍ତ୍ର ପିଏମଏଲଏ କୋର୍ଟ ଆଜି ଜାମିନ ମଂଜୁର କରିଛନ୍ତି। ପାତ୍ର ଚାଳ ମନି ଲଣ୍ଡରିଂ ମାମଲାରେ ସଂଜୟ ରାଉତଙ୍କୁ ଜାମିନ ମଂଜୁର ହୋଇଛି। ଜୁଲାଇ ୩୧ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ରାଉତ ଗିରଫ ହୋଇଥିଲେ। କୋର୍ଟ ମଧ୍ୟ ରାଉତଙ୍କ ସାଙ୍ଗ ଏବଂ ଅନ୍ୟ ସହଯୋଗୀ ବ୍ୟବସାୟୀ ପ୍ରବୀଣ ରାଉତଙ୍କୁ ଜାମିନ ମଂଜୁର କରିଛନ୍ତି।

ସଂଜୟ ରାଉତ ଏବଂ ପ୍ରବୀଣ ରାଉତ ଆଜି କୋର୍ଟରେ ଉପସ୍ଥିତ ଥିଲେ। ଇଡି ଦାଖଲ କରିଥିବା ତଥ୍ୟ ଅନୁଯାୟୀ, ରାଉତ ଏବଂ ତାଙ୍କ ବନ୍ଧୁ ଓ ବ୍ୟବସାୟୀ ପ୍ରବୀଣ ରାଉତ ଏବଂ ଏଚଡିଆଇଏଲ ପ୍ରମୋଟର୍ସ ରାକେଶ କୁମାର ୱାଧବନ ଏବଂ ତାଙ୍କ ପୁଅ ସରାଙ୍ଗ ୱାଧବନ ପାତ୍ର ଚାଳ ପୁନର୍ବିକାଶ ପ୍ରକଳ୍ପ କାମ ଶେଷ ନକରି ଏହି ପ୍ରକଳ୍ପର ଟଙ୍କା ହଡ଼ପ କରିନେଇଛନ୍ତି। ରିମାଣ୍ଡ ଶୁଣାଣି ସମୟରେ ଇଡି ଦାବି କରିଥିଲା ଯେ ରାଉତ ଅତିରିକ୍ତ ୧.୧୭ କୋଟି ଟଙ୍କା ଆଲିବାଗରେ ଜମି କିଣିବାପାଇଁ ବ୍ୟବହାର କରିଥିଲେ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୦୮ କୋଟି ଆସିଛି। ୧୦୧ ଦିନ ପରେ ରାଉତ ଜେଲ୍‌ରୁ ମୁକୁଳିଥିବାରୁ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର